ଜୀବନର ସଂଜ୍ଞା
ଜୀବନର ସଂଜ୍ଞା
ସ୍ୱପ୍ନ ସବୁ ଚୁରମାର ହେଲେ
ଜୀବନର ରଙ୍ଗ ଫିକା ପଡେ
ଦିନ ରାତି ଏକା ଭଳି ଲାଗେ
ବଦଳି ଯାଏ ଋତୁ,
ଜହ୍ନ ବି ବିବର୍ଣ୍ଣ ଦିଶେ
ହୃଦୟ ବିଦୀର୍ଣ୍ଣ ହୁଏ
ମନର ଉଦ୍ବିଗ୍ନରେ
ଜୀବନ ବିଷମୟ ଲାଗେ ।
ଜୀବନ ତେବେ କ’ଣ ଯନ୍ତ୍ରଣାମୟ ?
ବ୍ୟଥା ଆଉ ବେଦନାରେ ଝରୁଥିବା
ଦୁଇ ଟୋପା ଲୁହ ଆଉ ଲହୁରେ
ଲେଖା କାହାଣୀଟିଏ ?
ମାୟାଛନ୍ନ ନା ଜୀବନମୟ କବିତାଟିଏ ??
ଭଲକରି ଜୀବନକୁ ବୁଝିଲେ
ତା’ର ସଂଜ୍ଞା ନିର୍ଣ୍ଣୟ କରିହୁଏ ।
ପଛକୁ ଚାହିଁଲେ ଚିହ୍ନ ଆଉ ଚିହ୍ନ
ଅନେକ ରକ୍ତସ୍ନାନ ଏବଂ ବଳିଦାନ
ସବୁକିଛି କୋଳେଇନେଇଛି ଜୀବନ
ଆଗରେ ଥାଏ ବୋଲି ନୂତନ ସୂର୍ଯ୍ୟୋଦୟ।
ସେଥିରେ ହୁଏ ଆଲୋକର ସ୍ନାନ
ଜୀବନର ଜୟ ଗାନ ଓ ଅମୃତ ପାନ,
ତାହା ହିଁ ଚରମ ବ୍ରହ୍ମ ସତ୍ୟ,
ମୋହ,ମାୟା ,ଧନ,ମାନ
ଏ ଗୁଡିକ ବାସ୍ତବରେ ଶୂନ୍ୟ ଆଉ ଶୂନ୍ୟ
ଯୋଗ ଆଉ ବିଯୋଗର ସଂଖ୍ୟା ଖେଳ ।
ଜୀବନ ବିଷମୟ କି ଅମୃତମୟ
ପାର୍ଥକ୍ୟ ଖୋଜିବାର ଆବଶ୍ୟକ ନାହିଁ ,
କିଏ ଆଗ ଜୀବନ ନା ମୃତ୍ୟୁ
ବୁଝିବାର କିଛି ଦରକାର ନାହିଁ ,
କାହାର କିଛି ବି ଅସ୍ତିତ୍ୟ ନାହିଁ
ସବୁ କିଛି ଶୂନ୍ୟ ଆଉ ମହାଶୂନ୍ୟର ଖେଳ ।
