STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

ଜୀବନଧାରା

ଜୀବନଧାରା

1 min
173

ପ୍ରବାହିତ ନଦୀର ଜଳ ଧାର ପରି 

ସଂସାରରେ ମଣିଷର ଜୀବନ ଧାରା, 

ଅନୁକୂଳ ପ୍ରତିକୂଳ ପରିସ୍ଥିତିକୁ ନେଇ 

ତାର ଗତି ପ୍ରଗତି ଧାବମାନ ପ୍ରକ୍ରିୟା। 

ପ୍ରତି ମୁହୂର୍ତ୍ତରେ ତାର ସ୍ଥିତି ବଦଳୁଥାଏ 

ପ୍ରତିବନ୍ଧକରେ ବେଳେ ବେଳେ ସେ 

ସାମୟିକଭାବେ ରହେ ଅଟକି 

ପ୍ରକୃତିର ସନ୍ତୁଳନ ସଙ୍ଗେ ଜୀବନ ଜଡିତ 

ଉତ୍ଥାନ ପତନରେ ତାର ବିକାଶ ବିଲୟ।

ପାଣିପାଗ ଋତୁଚକ୍ର ବଦଳିଲା ପରି 

ଏ ବି ବଦଳି ତାର ସମନ୍ଵୟ ରକ୍ଷା କରେ, 

ସ୍ୱଭାବର ପ୍ରଭାବରେ ସୀମାରେଖା ଡେଇଁ 

ପ୍ଳାବିତ ହୁଏ ତାର କୂଳ ଉଲଙ୍ଘନ କରି। 

ବାଲ୍ୟକାଳର ଅଣାୟତ ଚପଳାମିରେ 

ଯୌବନ ଜୁଆରର ଉଦ୍ଦାମତାରେ 

ଦୁର୍ବାର ଗତିପଥ ତାର ହୁଏ ଅନିୟନ୍ତ୍ରିତ,

ଘାତ ପ୍ରତିଘାତର ଅଭିଜ୍ଞତାକୁ ମୂଳପୁଞ୍ଜି କରି 

ନିର୍ଣ୍ଣୟ କରେ ଆଗକୁ ଆଗ ତାର ଗତିପଥ।

ଏ ଏକ ସ୍ୱତଃପ୍ରବୃତ୍ତ ପ୍ରବାହିତ ସ୍ରୋତ 

ଜନ୍ମ ମୃତ୍ୟୁର ପରିଧି ପରିସରେ ଥାଏ ଆବଦ୍ଧ, 

ପରିଣତ ବୟସର ପରିପକ୍ଵତାରେ  

ସାଧନା ସିଦ୍ଧିର ସିଦ୍ଧାନ୍ତରେ ହୁଏ ଦୃଢୀଭୂତ 

ସ୍ଥିରତାର ଚରମ ପରମ ଶାନ୍ତି ହୁଏ ଲବ୍ଧ। 

ସୁଖଦୁଃଖ ହସଲୁହ ତାର ଚିର ସହଚର 

ଯନ୍ତ୍ରଣା କରୁଣା ଫଳସ୍ଵରୂପ ପାଏ ଉପହାର, 

ସମ୍ପଦରେ ଆତ୍ମବିଭୋର ବିପତ୍ତିରେ ଅଧିର 

ଆକସ୍ମିକ ଅଘଟଣକୁ କରିଆଣେ ନିମନ୍ତ୍ରଣ।

ଇତିହାସର ପୁନରାବୃତ୍ତି କରି ଚାଲେ ପ୍ରକୃତି 

କେତେବେଳେ ସୃଷ୍ଟି କେତେବେଳେ ଇତି, 

ସମ୍ପର୍କ ସ୍ଥାପନ କରେ ତାର କର୍ମକ୍ଷେତ୍ରେ 

ଆତ୍ମସ୍ଵାର୍ଥ ଠାରୁ ସମୂହ ସ୍ୱାର୍ଥ ପୂରଣ ପାଇଁ 

ସଂହତି ସହଯୋଗ ଏକତାର ସନ୍ଧି। 

ହୀନ ସ୍ୱାର୍ଥରେ ରଖେ କ୍ରୂର ଅଭିସନ୍ଧି 

ଜନ କଲ୍ୟାଣ ସମୂହ ସ୍ଵାର୍ଥେ ଦିଏ ଜଳାଞ୍ଜଳି,

ତ୍ୟାଗ ଆଦର୍ଶରେ ଚରିତ୍ରକୁ କରେ ସୁଦୃଢ 

ପରବର୍ତ୍ତୀ ପିଢି ପାଇଁ ହୋଇ ଏକ ପ୍ରେରଣା। 

ଜୀବନ ଧାରା ଏକ ଉତ୍ସର୍ଗୀକୃତ ଆହ୍ଵାନ 

ପରିପୂର୍ଣ୍ଣ କରିବାକୁ ପ୍ରତିଭାର ବିଭବ, 

ସଂସାରର କରେ ସେ ମଙ୍ଗଳ ବିଧାନ 

ରଖେ ଯିଏ ତା' ଉପରେ ଦୃଢ ଧାରଣା। 

ଏ ଏକ ସତ୍ କର୍ମ କରିବାର ପ୍ରଶସ୍ତ କ୍ଷେତ୍ର 

ସମ୍ଭାବନା ସଫଳ କରିବାର ସୁଯୋଗ, 

ଜ୍ଞାନର ପରିସର ମଧ୍ୟରେ ବ୍ୟକ୍ତି ବିଶେଷ 

ହୁଏ ଉପକୃତ କରି ତାର ସୁବିନିଯୋଗ। 

  *** *** *** *** ***



Rate this content
Log in