ଝରୁଥିବା ପତ୍ରଟିଏ
ଝରୁଥିବା ପତ୍ରଟିଏ
ଗୋଟିଏ ଗୋଟିଏ ଯୁଗ
ଏକ ମନ୍ବନ୍ତର,
ପୁନରପି ଲିପିବଦ୍ଧ ହୁଏ
ନୂଆ ଇତିହାସ
ଏଇ ସମୟର।
ପ୍ରଳୟର ପରେ ପରେ
ଭାସିଆସେ ସମୁଦ୍ରକୁ ଚିରି
ଗଢ଼ିବାକୁ ନୂତନ ସୃଜନ
ଯେପରି ଯୋଡାଏ ପତ୍ର
ମାଟି ଚିରି ଉଠିଥାନ୍ତି
ହେଲାପରେ ବୀଜର ବପନ।
ମନୁଙ୍କର ଯେହ୍ନେ ଦଶ ସୁତ
ବୃକ୍ଷଟିଏ ବଢିଚାଲେ
ଡାଳ ପତ୍ର ଗଢି ଶତ ଶତ।
ଶ୍ବାସ ଦିଏ ତନ୍ଦ୍ରା ଦିଏ
ଦିଏ ସେ ଇନ୍ଧନ
ସବୁଜିମା ରଙ୍ଗାଇ ସେ
ସଞ୍ଚାରେ ଜୀବନ।
ଶବ୍ଦେ ଶବ୍ଦେ ଯେତେ ତା କବିତା
ପବନର ତାଳେ ତାଳେ
କେତେ ଛନ୍ଦାୟିତା।
ତା ତଳର ଛାଈ
ଯେମିତି ଗୋପୀଙ୍କୁ କରେ
କାହ୍ନୁ ବେଣୁ ବାଇ।
ହାଏ!
ସମୟ ତା ସରି ସରି ଯାଏ
ନିର୍ଦ୍ଦୟ ସମୟ ହାତେ
ମରି ମରି ଯାଏ।
ରଙ୍ଗ ରୂପ ରସ
ମୋହ ହୁଏ ଭଙ୍ଗ
ପାଣ୍ଡୁର ଶୁଷ୍କ ପତ୍ରଟି
ଯିଏ ଥିଲା ଏଯାବତ୍
ସାଥିଟିଏ ହୋଇ
ଛାଡିଦିଏ ସଙ୍ଗ।
ସମାଜକୁ ଦିଏକି ଚେତାଇ,
ମୋ ଭଳି ଜୀବନ ତୁମ,
ଆଜୀବନ କିଏ ରହିଥାଇ ?
କର୍ମ ତୁମ,
ଧର୍ମ ତୁମ
ଜୀବନର
ମର୍ମ ତୁମ ... .
ସବୁଜ ଜୀବନେ ଗଢ,
ଥରେ ଖସିଲେ ବୟସ
ଥରେ ହସିଲେ ଆୟୁଷ
ଆଉ ନଥିବ ପୀୟୁଷ
ହୋଇଯିବ ମଢ ।
© ସୁଧିର କୁମାର ପଣ୍ଡା, ବ୍ରହ୍ମପୁର 9337782912
