ଜହ୍ନର ଠିକଣା
ଜହ୍ନର ଠିକଣା


ଖୋଜି ପାଇଲିନି ଜହ୍ନର ଠିକଣା
କେଉଁଠି ହଜାଇଦେଲି,
ଜହ୍ନ ହଜିଗଲା ତାହାରି ବାଟରେ
ଖୋଜି ଖୋଜି ଥକିଗଲି |୧|
ପଚାରି ବୁଝିଲି ତା ସାଥି କଇଁକୁ
ଜହ୍ନ କାହିଁ ଗଲାବୋଲି,
ସିଏ ବି କହିଲା କାଲିଠୁଁ ଦେଖିନି
ଝୁରିଝୁରି ଶୁଖିଗଲି |୨|
ଭ୍ରମର ପଛରେ ଧାଇଁ ଧାଇଁ ଗଲି
ସେ କହିଲା ନାଇଁ ନାଇଁ,
ନାଇଁ ମୁଁ ପାଉନି ଜହ୍ନର ଠିକଣା
ମୋତେ କହି ଯାଇନାହିଁ |୩|
ଲୁଚେଇଲା ମୁହଁ ସୁନ୍ଦରୀ ଚାନ୍ଦିନୀ
ଖେଳୁଥିଲା ଲୁଚକାଳି,
ମେଘ ଆକାଶରେ ବାଦଲ ଭିତରେ
ହଜିଗଲା କଳା ବୋଳି |୪|
ଆଷାଢ଼ ମେଘରେ ଝରା ଶ୍ରାବଣରେ
ବହୁଥିଲା ଗୋଳି ପାଣି,
ଗୋଳି ପାଣି ଧାରେ ହଜିଥିବ ବୋଲି
ଖୋଜୁଥିଲି ଲୁଗା କାନି |୫|
ମନ ଦୁଃଖ ହେଲା ଜହ୍ନ ଖୋଜି ଖୋଜି
ଆକାଶର ନୀଳିମାରେ,
ନୀଳ ଆକାଶଟା ସାଗର ଜଳରେ
ହଜିଗଲା ସଞ୍ଜ ପରେ |୬|
ଜହ୍ନର ଠିକଣା ଚାନ୍ଦନୀ ପାଉଣା
କରୁଥାଏ ବାଟବଣା,
କାଳେ କେବେ ପୁଣି ଦେଖା ହେବ ବୋଲି
ସବୁ କଥା ତାକୁ ଜଣା |୭|
ଖୋଜିଲି ପୂର୍ଣ୍ଣମୀ ଶୁକଳ ପକ୍ଷରେ
ମୋ ଜହ୍ନକୁ ପାଇବାକୁ,
ଜହ୍ନ ଆସୁଥିଲା ଧିମେଇ ଧିମେଇ
ପ୍ରଜାପତି ଧରିବାକୁ |୮|
ଏତେଟା ମନୋଇ ମୋର ପ୍ରିୟା ଜହ୍ନ
ଗୁଣୁଗୁଣୁ ଗୀତ ଗାଏ ,
ଆପଣା ଭିତରେ ଆପେ ହଜିଯାଏ
ଆନନ୍ଦରେ ଫୁଲ ଛୁଏଁ |୯|
ଶେଷ ପାହାଚରେ ପାଇଗଲି ମୁହିଁ
ଜହ୍ନ ପ୍ରିୟାର ଠିକଣା,
ଝରକା ଦୁଆରେ ତୋଫା ମୁହଁ ତାର
କରୁଥିଲା ଆନମନା |୧୦|