STORYMIRROR

Kamala Satpathy

Others

3  

Kamala Satpathy

Others

ଝିଅ ବାହାଘର

ଝିଅ ବାହାଘର

2 mins
310


ଝିଅ ବାହାଘର ଚିନ୍ତାରେ ବାପାଙ୍କ

ରାତି ନିଦ ହୁଏ ଉଭାନ

କେମିତିଆ ଜୋଇଁ ଆଣିବେ ଯାହାକୁ

ଦେଖିଲେ ତୋଷିବ ମନ ।

ସରକାରୀ ଜୋଇଁ କରିବାକୁ ଇଚ୍ଛା

ପାଖେ ଥିବେ ଗଣ୍ଡେ ପିଅନ

ସୁକୁମାରୀ ଝିଅ କାମଦାମ କରି

ଲୁହେ ନଭରିବ ନୟନ ।

ପ୍ରାଇଭେଟ୍ ଚାକିରି ଆହୁରି ବଢିଆ

ବୁଲିବ ବିଦେଶେ ନିତି

ନାଚ ତାମସାରେ ଦିନ କାଟୁ କାଟୁ

କରୁଥିବ କେତେ ପ୍ରୀତି ।

ବ୍ୟାଙ୍କ୍ ଅଫିସର୍ ଜୋଇଁଟେ ପାଇଲେ

ବଢିବ ସମାଜେ ଥାଟ

ଯାଉଣୁ ଆସୁଣୁ ଧାଉଁଥିବେ ଲୋକେ

ଘରକୁ ଆସିବ ନୋଟ ।

କମ୍ପାନୀ ଚାକିରି ମନ୍ଦ ନୁହେଁ ଜମା

ରହିଛି ଫାଇଦା କେତେ

ଡାକ୍ତର ଜୋଇଁଟେ ପାଇଯିବେ ଯଦି

ବାହା କରିଦେବେ ଏବେ । 

ଝିଅର ବୟସ କୋଡିଏ ପୂରିଲା

ଚାହୁଁ ଚାହୁଁ ଦିନ ଯିବ

ଏବେ ଠାରୁ ଦେଖା ରଖା କରିଥିଲେ

ସୁବିଧାରେ ସବୁ ହେବ ।

ଶୁଣୁ ଶୁଣୁ ପତ୍ନୀ ଦାନ୍ତକୁ ରଗଡି

କହିଲେ, “ସେକଥା ଥାଉ

ଚିହ୍ନା ପରିଚିତେ କରିବି ମୁଁ ବାହା

ଖୋଜନା ଲୋଡନା ଆଉ ।

ଅଜଣା ଜାଗାରେ ଦେବିନି ଝିଅକୁ

ବୟସ ପଛକେ ଗଡୁ

କିଏ ସେ ରଖିବ କେମିତି କୋଉଠି

ଭାବିଲେ ଶୁଖଇ ଲହୁ ।

କେଡେ ଯତନରେ ବଢେଇଛି ତାକୁ

ଧୂଳି ମଳି ଲାଗିନାହିଁ

ଚାକିରି ଲୋଭରେ ନପଡି ଦେଖିବ

ସୁଖେ ଯେ ରଖିବ ନେଇ ।“

ଭାଇ ଉଭାହେଲା ଦୁର୍ବାସାଙ୍କ ସମ

କ୍ରୋଧେ ହୋଇ ଥରହର

“ଏବେଠୁ କାହିଁକି ଏ ଚିନ୍ତା ଚାଲିଛି

ପାଠ ଆଗ ସରୁ ତା’ର ।

ଯୁଗ ଏବେ ଯାଇ କୋଉଠି ହେଲାଣି

ରଖିନାହଁ ସେ ଖବର

ନିଜ ଗୋଡେ ତାକୁ ଠିଆ କରିବାଟା

ସବୁଠୁ ବେଶି ଦର୍କାର ।

ପାଠ ଶାଠ ପଢି, ବୁଦ୍ଧି ସୁଦ୍ଧି ହେଲେ

ଭଲମନ୍ଦ ଯିବ ଜାଣି

ନିଜ ଭାବିଷ୍ୟତ ନିଜେ ସେ ଦେଖିବ

ଚିନ୍ତା ତୁମ ରହିବନି ।“

ଝଡ ପରି ଝିଅ ଘରକୁ ପଶିଲା

ଚମକ ଦେଲା ଖେଳେଇ

ବାପ ମା’ଙ୍କ ଆଖି ଖୋସି ହୋଇଗଲା

ତା’ ରୂପକୁ ଦେଖି ଦେଇ ।

ବେକରେ ପଡିଛି ଫୁଲମାଳ ଗୋଟେ

ମଥାରେ ଅଛି ସିନ୍ଦୂର

ପଛେ ପଛେ ଯିଏ ଆସୁଅଛି ଚାଲି

କହିଲା, “ଇଏ ମୋ ବର ।

ବୟସଟା ସିନା ପଚାଷରୁ ଉର୍ର୍ଦ୍ଧ

ନାମ ବଡ ସମାଜରେ

ସହରରେ ଅଛି ଶହେ କୋଠାବାଡି

ଜମିଜୁମା ଯେତେ ଗାଁରେ ।

ମାରୁତିରୁ ନେଇ ମର୍ସିଡିଜ୍ ଯାଏଁ

ଚାରି ଚକିଆର ଭିଡ

ବ୍ୟାଙ୍କ୍ ରେ ପଇସା ହାଉଯାଉ ହୁଏ

ସୁନାରେ ପୂରିଛି ଘର ।

ବଡ କଣ୍ଟ୍ରାକ୍ଟର ବୋଲି ଏ ସହରେ

ରହିଛି ସୁନାମ କେତେ

ରାଜନୀତିଆଠୁ ଅଧସ୍ତନ ଯାଏ

ଠୋକନ୍ତି ସଲାମ ଯେତେ ।

ଅସମୟେ ପତ୍ନୀ ଚାଲିଗଲା ଛାଡି

ଏଇ ବର୍ଷ ଆରମ୍ଭରେ

ବହୁ ଭାବିଚିନ୍ତି ବାହା ହେଲୁ ଆଜି

ଲିଙ୍ଗରାଜ ମନ୍ଦିରରେ ।

ଚୁକ୍ତି କରିଛନ୍ତି ସମ୍ପତ୍ତିରୁ ଅଧା

ଦେବେ ସେ ମୋ ନାମେ କରି

ବ୍ୟବସାୟ ଚାବି ରହିବ ମୋ ହାତେ

ହେବ ନାହିଁ ହେରାଫେରି ।“

ବାପାଙ୍କର ମୁଣ୍ଡ ଘୂରିଗଲା ଶୁଣି

ଝିଅର ଏମନ୍ତ କାଣ୍ଡ

କହିଲେ, “ଏ ତୁ କି ଲୋକହସା କଲୁ

କାହିଁକି ଦେଲୁ ଏ ଦଣ୍ଡ !

ସ୍ୱପ୍ନ ଦେଖୁଥିଲି ଅଫିସର ଜୋଇଁ

କରିବି ତୋ’ ସୁଖ ପାଇଁ

ତର ସହିଲୁନି, କଥା ବୁଝିଲୁନି

ଦେଲୁ ମୋ ନାଆଁ ବୁଡେଇ !”

କାନ୍ଦି କାନ୍ଦି ମାଆ କୁହଇ, “ଝିଅଲୋ,

କି ସୁଖ ପାଇବୁ ତୁହି।

ତିରିଶ ବରଷ ତୋ’ ଠାରୁ ବଡ ସେ

କିବା ପାରିବ ସେ ଦେଇ !”

ହସି ହସି ଝିଅ କହିଲା ବୁଝେଇ,

“ଯାହା ଦବା କଥା କହୁ

କାହାର ଲୋଡା ସେ ପାଣିଚିଆ ସୁଖ

ଏତେ କଥା ଥାଉ ଥାଉ !

ମର୍ସିଡିଜ୍ ଗାଡି, ବିରାଟ ବଙ୍ଗଳା

ଫାଇଭ୍ ଷ୍ଟାର୍ ର ଖାଦ୍ୟ 

ନୂଆ ନୂଆ ଶାଢି ଗହଣା ଆଗରେ

ବାକି ସବୁକଥା ତୁଚ୍ଛ ।

ଦିନ କେଇଟାରେ ଖସିଗଲେ ସିଏ

ସବୁ ହେଇଯିବ ମୋର

ବାକି ସୁଖ କଥା ତା’ପରେ ଦେଖିବି

ପଇସା ଏବେ ଦର୍କାର ।“

ବାପା ମାଆ ଭାଇ ରହିଗଲେ ଚାହିଁ

କି କଥା କହୁଛି ଝିଅ

ଧନସମ୍ପତ୍ତିର ଲୋଭରେ କେମିତି

ନେଲା ଏ ଦୃଢ ନିର୍ଣ୍ଣୟ !

ବିବାହଟା କ’ଣ ଖେଳଘର ଅଟେ

ଭାଙ୍ଗି ତୁଟି ଗଲେ ଯାଉ

ପଇସା ଆସିବା ମୁଖ୍ୟ କଥା ହେଲା

ସଂସାର ରହୁ ନରହୁ !!

-0-


Rate this content
Log in