ଜଗା ଆସେ ଝୁଲି ଝୁଲି
ଜଗା ଆସେ ଝୁଲି ଝୁଲି


ଦେଖ ଦେଖ ଜଗା ଆସେ ଝୁଲି ଝୁଲି
ପହଣ୍ଡି ବିଜେ କରିବ
ରଥ ପରେ ବସି ବାହୁଡ଼ି ଯିବ ସେ
ସିଂହଦ୍ୱାରଟି ହସିବ।
ତହିଁ ଆର ଦିନ ଏକାଦଶୀ ତିଥି
ସୁନା ବେଶ ପରା ହେବ
ଦ୍ୱାଦଶୀ ତିଥିରେ ଅଧର ପଣାରେ
ଜନ ମନକୁ ତୋଷିବ।
ମାନବୀୟ ଲୀଳା ପୁରୀର ମହିମା
ଜଗତେ ବିଖ୍ୟାତ ପରା
ପାପ ତାପ ନାଶି ଦର୍ଶନେ ତାହାର
ଉଶ୍ୱାସ ଲଭିବ ଧରା।
ଲକ୍ଷ ଲକ୍ଷ ଭକ୍ତ ଭିଡ଼ ମଧ୍ୟେ ଆହା
କି ସୁନ୍ଦର ଦିଶେ ଜଗା
ଦୂରଦର୍ଶନରେ ଦେଖି ମନ ଭରେ
ହୃଦୟେ ନାହିଁ ମୋ ଜାଗା।
ହରଷିତ ମନେ ଲେଖୁଛି କବିତା
ପରଷିବି ନେଇ ପାଦେ
ପଦ କହିଦିଅ ବଳିୟାର ଭୂଜ
ଗାଇବେ ଜନେ ଆମୋଦେ।
ଏତିକି ମାଗୁଣି ଘେନ ଜଗନ୍ନାଥ
ଶ୍ରୀପଦେ କୋଟି ପ୍ରଣାମ
ଜୀବ ଥିବା ଯାଏ ଲେଖୁଥାଉ ହସ୍ତ
କରୁଛି ଦାସ ଜଣାଣ।