ଜାତିବାଦି ଛାଡ଼ି ସରବେ ହସିବା ବିଜୟ ଧ୍ବଜାର ତଳେ
ଜାତିବାଦି ଛାଡ଼ି ସରବେ ହସିବା ବିଜୟ ଧ୍ବଜାର ତଳେ


ମୁକ୍ତାକାଶ କୋଳେ ଲହରେ ତ୍ରିରଙ୍ଗା
ବଖାଣି ଗୌରବ ଗାଥା
ସ୍ଵାଧିନ ଭାରତ ବିଜୟ ଧ୍ୱଜା'ଏ
ଚରଣେ ନୂଆଁଅ ମଥା ।
ହଜିଛି ଗୌରବ ଲୁଚିଛି ବୈଭବ
ଶାସକ ଆଜି ଶୋଷକ
ଅମୂଲ୍ୟ ରକତ ଢ଼ାଳୁଛି ସୈନିକ
ବିଷ ଆଦରେ କୃଷକ ।
ସ୍ବାର୍ଥକୁ ଆଦରି ସ୍ବାଭିମାନ ବନ୍ଧା
ଜନନୀ ସମ୍ମାନ ବିକି
ଜନନୀ ବି' ଏଠି ନିର୍ଦ୍ଦୟ ସାଜୁଛି
ସନ୍ତାନକୁ ତାର ଫିଙ୍ଗି ।
ଆଦର୍ଶବାଣୀକୁ ଧିକ୍କାରୁଛି ମନ
ଚାଲୁଛି ଅନୀତି ତାଳେ
ମାନ ସନମାନ ବିକିରି ଚାଲିଛି
ଅର୍ଥ ଖର୍ଚ୍ଚ ଆଢୁଆଳେ ।
ମାତୃଭାଷା ଭୁଲି ବିଦେଶୀ ଭାଷାରେ
ଶିକ୍ଷା ପଦ୍ଧତି ତିଆରି
ସଂସ୍କୃତି ବିହୀନ ଶିକ୍ଷାକୁ ଆଦରି
ଯୁବକ ଏଠି ବେକାରୀ ।.
ଭାଷଣ ବାଜିରେ ସରୁଛି ଦିବସ
ତୁଛା ମିଛ ଆସ୍ଫାଳନ
ଛାତ୍ରଛାତ୍ରୀ ଗଣ ମଞ୍ଚରେ ଗାଆନ୍ତି
ଘୋଷା "ଜନ ଗଣ ମନ" ।
କନ୍ୟା ରତନକୁ ଚିହ୍ନନ୍ତିନି ଜନେ
ବୃଦ୍ଧ-ବୃଦ୍ଧା ହୀନିମାନ
ଅନ୍ୟାୟ ଅନୀତି ସୀମା ଟପିଲାଣି
ସହା ସେଇ ଜନାର୍ଦ୍ଦନ ।
ସ୍ବରାଜ ସପନ ଉଭେଇ ଯାଇଛି
ନାହିଁ ଆଉ ଭାତୃଭାବ
ଉତ୍ଥାନ ଆଳରେ ଶାସକ ଗଢ଼ିଛି
ଜାତିଆଣ ଭେଦଭାବ ।
ସାହାସ ଶକତି ଦିଅ ମହାବାହୁ
ଦିଅଏକ ମହାପୁରୁଷ
ଉଜୁଡା ଦେଶକୁ ସଜାଡି ପାରିବ
ସମ୍ପର୍କର ହୋଇ ଦାସ ।
ଆସନ୍ତା ଦିବସେ ମୋ'ଦେଶ ଜନତା
ବିଜୟ ଧ୍ବଜାର ତଳେ
ଜାତିବାଦ ଛାଡ଼ି ସରବେ ହସନ୍ତୁ
ଭାରତ ମାତାର କୋଳେ ।