STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ହେରା ପଞ୍ଚମୀ

ହେରା ପଞ୍ଚମୀ

2 mins
14.9K


ହେରା ପଞ୍ଚମୀ ରେ ଛେରା ପଡେ ନଭୂ

 ଶାବର ଶ୍ରୀକ୍ଷେତ୍ର ଦାଣ୍ଡେ,

 ଆସ ହୋ ଭକତେ ସନ୍ଧ୍ୟା ଦରଶନେ

 ଧୂଳି ଲଗାଇବା ମୁଣ୍ଡେ।

 ସୂର୍ଯ୍ୟ କିରଣରେ ବରଷା ବିନ୍ଦୁରେ

 ଇନ୍ଦ୍ରଧନୁର ଛାଇ,

 ଶୋଭିତ ଭରିଛି ଝର୍ଝରାକାଶ,

 ଏଇ କୋରାପୁଟ ଭୂଇଁ।

 ଶିରୀ ମନ୍ଦିର ରୁ ଜଗତ ଜନନୀ

 ଚଳିବେ ଗୁଣ୍ଡିଚା ଘରେ,

 କାଳିଆ ଚାହିଁଛି ସନ୍ଧ୍ୟା ଆଳତିକୁ

 ଭକତ ଗହଣ ମେଳେ।

 ଛାଡି ଆସିଅଛି ସୁଖେ ବସିଅଛି

 ମନ ଇଚ୍ଛା ଭୋଗ ଖାଇ,

 ସଙ୍ଗରେ ଆଣିଛି ଭାଇ ଭଉଣୀଙ୍କୁ

 ନିଜ ସ୍ତିରୀ ଛାଡିଦେଇ।

 ଶ୍ରୀ ମନ୍ଦିର ଆଜି ଶୀରିହୀନେ ଚାହେଁ

 କାଳିଆ ପଥକୁ ଧିରେ,

 କ୍ରୋଧେ ମହାଲକ୍ଷ୍ମୀ ଶ୍ରୀ ମନ୍ଦିର ଛାଡ଼ି

 ଯାଆନ୍ତି ମାଉସୀ ଘରେ।

 ଶୁଭିଲାଣି ଦୂରୁ ଘଣ୍ଟା କାହାଳୀ

ଶଙ୍ଖ ଶବଦ ଭରା,

 କାଳିଆ କହନ୍ତି ଭକତଗଣଙ୍କୁ

 ଜଗି ରହିଥାଅ ପରା।

 ଆସିଲେଣି ଲକ୍ଷ୍ମୀ ସାଜି କୋପଭରା

 ସ୍ଵର୍ଣ୍ଣ ପାଲିଙ୍କିରେ ଚଢି,

 ଭକତ ମେଳରେ ଯାତରା ସୁଆଦ

 ଦେବେ ମୋ ଦେହରୁ ଝାଡି।

 ଶୁଣି ବଡପଣ୍ଡା ବେତ ଖଣ୍ଡେ ଧରି

 ହଲାଇ ହଲାଇ ଧାଏଁ,

 ମାଆ ସାଆନ୍ତାଣୀ କ୍ରୋଧେ ଆସୁଛନ୍ତି

 ଦୂରରୁ ସେ ଦେଖୁଥାଏ।

 ହାତ ଆଡ଼ି କହେ ଜଗତ ଜନନୀ

 ଘେନା ନ କର ଗୋ ଦୋଷ,

 ତୁଛାରେ କାହିଁକି କାଳିଆ ସାଆନ୍ତେ

 ବହୁଅଛ ଏତେ ରୋଷ।

 ରଖିଅଛି ମୁହିଁ ଆସନ ସଜାଇ

 ମାଆ ମୋ ଆସିବେ ବୋଲି,

 ମାତ କମଳିନୀ ରତ୍ନ ସିଂହାସନେ

 ବିଜେ କର ସବୁ ଭୂଲି।

 ପଣ୍ଡାଙ୍କ ବଚନେ ଲକ୍ଷ୍ମୀ କହୁଛନ୍ତି

 ଦେଖାଉଛୁ ମୋତେ ଛାଡ଼ି,

 ଏ ରଥ ଦଣ୍ଡାରେ ରଥ ଦଉଡ଼ିରେ

 ଆଗ ଦେବି ତୋତେ ଭିଡ଼ି।

 କ୍ରୋଧରେ ବାନ୍ଧନ୍ତେ ଜଗତ ଜନନୀ

 ପଣ୍ଡା କହେ ଯୋଡି ହସ୍ତ,

 ତୁମେ ଯେଉଁପରି ଜଗତ ର ମାତା

 ସେ ପରା ଜଗତ ନାଥ।

 ବୁଝାଇ ଶୁଝାଇ ମାଆ କମଳିନୀ

 ନେଇଦ୍ୟନ୍ତେ ଜଗା କୋଳେ,

 ମୁରୁକି ହସନ୍ତି ସେ କଳା ବଦନ

 ଦେଖି ଲକ୍ଷ୍ମୀ ମୁଖ ଡୋଳେ।

 ବସିଥିଲେ ସିନା ନରସିଂହ ରୂପେ

 କ୍ରୋଧ ଜର୍ଜରିତ ମନେ,

 ବରୁଣ ନନ୍ଦିନୀ ପ୍ରବେଶି ଦେଖନ୍ତେ

 ଶାନ୍ତ ହେଲେ ଅବକ୍ଷଣେ।

 ବୁଝାଇ କହିଲେ ମନୁଆଁ ଠାକୁର

 ଫେରିବି ଗୋ ଚାରି ଦିନେ,

 ଦୁଃଖ ନ କର ଗୋ ବାଇ ଠାକୁରାଣୀ

 ଯାଅ ଶ୍ରୀ ମନ୍ଦିର ସ୍ଥାନେ।

 ଏଠାରେ ଅଛନ୍ତି ଦେଢଶୂର ତୁମ

 କେମିତି ରହିବ ଏଥେ,

 କଥା ଦେଉଅଛି ଫେରିବି ନିଶ୍ଚୟ

 ଦଶମୀ ବାହୁଡ଼ା ରଥେ।

 ପଥ ଦେଖୁଥାଅ ପଥର ନ ହୁଅ

 ଭକତେ କର କଲ୍ୟାଣ,

 ଏ ହେରା ପଞ୍ଚମୀ ପୁଣ୍ୟମୟ ହେଉ

 ଲକ୍ଷ୍ମୀ ନୃସିଂହ ଦର୍ଶନ।

 ଜୟ ଜଗନ୍ନାଥ ଭକତଙ୍କ ହିତ

 ଦୁଃଖୀ ଜନ ଦୁଃଖ ହାରି,

 ଭକତ ଜନଙ୍କୁ ଭବ ବନ୍ଧନରୁ

 ନିରତେ କରିବ ପାରି।

ବିଷ୍ଣୁ ପ୍ରସାଦ ମିଶ୍ର କୋରାପୁଟ 9124049129


Rate this content
Log in