ହେ କବି
ହେ କବି
ନିଃଶବ୍ଦ ରେ ଶବ୍ଦ ଝଙ୍କାର ତୋଳୁଛି
କବି ପ୍ରାଣୁ ଝରେ ମଧୂ।
ବେଦନା ସିକ୍ତ ପ୍ରାଣେ ପ୍ରାଣେ ଭରେ
ଅମୃତର ମହାସିନ୍ଧୁ ।।
ଜାଗ୍ରତ ପ୍ରହରୀ ଦେଶ ମାତୃକାର
ମସୀକୁ କରିଛି ଅସି ।
ଶାଣିତ କଟାକ୍ଷେ ଶୀର ଛେଦେ କାର
କୁକର୍ମ କୁ ଦିଏ ଝାସି ।।
ନବ ଜାଗରଣ ଜନ୍ମ ଦିଏ ସିଏ
ମାଟିର ସମ୍ମାନ ପାଇଁ ।
କହୁ କିଏ ଅବା ବଡ଼ କି ସାନରେ ତାକୁ ତ ବାଧଇ ନାହିଁ।।
ଜନମ ଲଭି ଏ ପବିତ୍ର ଭୁଇଁରେ
ବାର୍ତ୍ତା କେତେ ବୁଣେ ମନେ।
ଦୋହଲାଏ ହିଆ ପଥର ହେଉବା
ତାର ସେ ଲେଖନୀ ମୁନେ ।।
ପ୍ରେମର ପିଆଲା , ବିରହର ଜ୍ବାଳା,
ପ୍ରକୃତି ରାଣୀର ଶୋଭା ।
କଳ୍ପନା ରେ କବି ସଜାଇ ବସୁଛି
ଆହା କେଡ଼େ ମନଲୋଭା ।।ଶବ୍ଦର ଚାତୁରୀ ଅବା ସେ ସୁନ୍ଦରୀ
ଇଶାରାରେ କରେ ବଶ ।
ତା ପ୍ରେମରେ ଛନ୍ଦି ହୋଇଛନ୍ତି ବନ୍ଦୀ
ମେଣ୍ଟୁନି ତ କା'ର ଶୋଷ ।।
ଜୀବନ ଜଞ୍ଜାଳ ହସ କାନ୍ଦ ରୁଷା
ନିଖୁଣ ଚିତ୍ରଣ ଲଭେ।
ପରିବର୍ତ୍ତନ ର ସୃଷ୍ଟିକର୍ତ୍ତା ସାଜି
ଠିଆ ସେ ସମାଜ ଆଗେ ।।
ପରେଶ ଚନ୍ଦ୍ର ଦାସ,ଗୋପାଳପୁର,ଭୋଗରାଇ,ବାଲେଶ୍ୱର।
