STORYMIRROR

Kulamani Sarangi

Others

3  

Kulamani Sarangi

Others

ହାଟ ବରାଦ

ହାଟ ବରାଦ

1 min
233


"ବଣି ଯୋଡ଼ି ଯୋଡ଼ି ଆକାଶେ ଯାଉ ଅଛନ୍ତି ଉଡ଼ି,

ସୁରୁଜ କଣେଇ ହସିଲେ ବେଳ ହେଲା ଦି'ଘଡି। 


ସୁଲ ଦୋକାନରୁ କଖାରୁ ବଡି ଆଣିବ ଧନ,

ହୁଡା-ବିରି ବାଟି ପାରିଚି ବଡ଼ି ଏଇ ସଅନ।


ଭଜା ରାଶି, ଲଙ୍କା, ମସଲା ପଡ଼ିଥିଲେ ଅଉଲ,

ମୁଶୁ ମୁଶୁ ଭଜା ପଖାଳ ସାଙ୍ଗେ ଲାଗିବ ଭଲ।


ଗୁରୁବାରୀ ନାନୀ ବାଇରୁ ଅଷାଢୁଆ ଆଣିବ,

ତାମ୍ପଡା ଶୁଖୁଆ ପାଇଁକି ଚମ୍ପି ଘରକୁ ଯିବ।


ବଜାରୁ ଆଣିବ କଖାରୁ ଫୁଲ,ଟୁସିକଲରା,

ଜିରା ବଟା ଦେଇ ଭାଜିଲେ ବାଆ ଖାଇବେ ପରା।


ଫୁଲରୁ ଫୁଲକୁ ଉଡ଼ନ୍ତି କେତେ ଯୋଡି ଭଅଁର,

କଡ଼ ଲେଉଟାଏ ସକାଳ ଆଉ ଡେରି ନକର।


ରସାଳ ଝୁଡୁଙ୍ଗ ଆଣିବ ବାଇଗଣ କଣ୍ଟେଇ,

କଷି କଖାରୁରୁ ସୋରାଏ ଭଜା ସନ୍ତୁଳା ପାଇଁ।


ଥୋଲିଜହ୍ନି ଯେବେ ମିଳିବ ଆଣିଥିବ ଦୁଇଟା,

ରଙ୍ଗ ଲମ୍ବା ଭେଣ୍ଡି ମିଳିଲେ ଆଣିଥିବ କେଇଟା।


ମଧୁମେହ ରୋଗୀ ପାଇଁକି ଭଲ ସଜନା ଶାଗ,

ରାନ୍ଧଣା କରିବି ପକାଇ ତହିଁ ନଡ଼ିଆ ମୁଗ।


ଆଣିବ ବିଡାଏ ସଜନା ଛୁଇଁ ଖୋଜି ହାଟରୁ,

ଅମୃତ ସେ ଦେହ ପାଇଁକି ଶୁଣିଛି ଆଈ ଠାରୁ। 


ଏଣ୍ଡୁଅ ଟୁଙ୍ଗାରେ ମୁଣ୍ଡକୁ କଣ୍ଟାବାଡରେ ରହି,

ଏଣ୍ଡୁଅ ଭାରିଜା ଲୁଚିଚି ଗଛ ଡାଳରେ ଯାଇ।


ଝଡିପୋକ କେତେ ଉଡ଼ନ୍ତି ମଜା ଝିଟିପିଟିର,

ପର ଲାଗିଗଲେ ଏ ଦଶା ହୁଏ ସବୁ ଜୀବର।


ଛାଡମ ସେକଥା ଆଣିବ ବାଲି ଛତୁ ଖେଜାଏ,

ମାଆଙ୍କ ଶରଧା ପଖାଳ-ଛତୁ ଭଜାରେ ଥାଏ।


ମାଛି ଗଣ ଗଣ ହେଲେଣି ହବ ଝଡି ବରଷା,

ସଜ ଭଜା ମୁଢ଼ି ଆଣିବ ଘରେ ଅଛି ଆରିସା।"


ବଟୁଆରେ ଥିଲା ଶହେଟି ଟଙ୍କା,ବରାଦ ଶୁଣି,

ଖୋଲି ଦେଖାଇଲି ବଟୁଆ, ହସିଦେଲେ ଘରଣୀ।

ଘଡିରେ ସାଇତା ପଇସା ଯାହା ଥିଲା ପାଖରେ ,

ମୁଣି ସଙ୍ଗେ ଆଣି ଧରେଇ ଦେଲେ ବଡ଼ ଗେଲରେ।


ହୁଡା ବିରି..ବିଲ ହୁଡାରୁ ଅମଳ ହୋଇଥିବା ବିରି।

ପାରିଚି... ପ୍ରସ୍ତୁତ କରିଚି।ଏଇ ସଅନ..ଏଇ ବର୍ଷ।

ଅଉଲ.. ଖୁବ୍ ଭଲ

ବାଇରୁ...ବାଡିରୁ

ଟୁସି କଲରା..ଛୋଟ କଲରା

ବାଆ...ବାପା

ବାଇଗଣ କଣ୍ଟେଇ..କଣ୍ଟେଇମୁଣ୍ଡି ବାଇଗଣ

ଖେଜା... ବିକ୍ରି ପାଇଁ ପତ୍ର ଠୋଲାରେ ସଜାଯାଇଥିବା




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍