ହାତ ସାଥେ ହାତ ମିଶାଇଦେବା
ହାତ ସାଥେ ହାତ ମିଶାଇଦେବା
ହାତ ସାଥେ ହାତ ମିଶାଇ ଦେବାରେ
ହୋଇ ଏକ ମନ ପ୍ରାଣ
ଓଡିଶା ମାଟିରେ ଗାଇବା ଆମେରେ
ସ୍ଵଚ୍ଛତାର ଜୟଗାନ ।
ବାତ୍ୟା ପରି କ୍ରୁର ଦୈଵ ଦୁର୍ବିପାକ
ତାଣ୍ଡବର ଲୀଳା ରଚି
ସୁନ୍ଦର ଶ୍ୟାମଳ ଉତ୍କଳ ମାତାକୁ
ଦୁଃଖ ଦେଇଗଲା ଯାଚି ।
ଟଳିଲା ପାଦପ ସୁଉଚ୍ଚ ସଉଧ
ମାଟି ପରେ ଗଲେ ମିଶି
ନାନା ଆବର୍ଜନା ଚତୁର୍ଦ୍ଦିଗେ ପଡି
ରୋଗବ୍ୟାଧି ଯିବ ଗ୍ରାସି ।
ନିଜ ସୁଖ ପାଇଁ ଏକତ୍ରିତ ହୋଇ
ଆବର୍ଜନା ସଫା କରି
ପୋଡି,ପୋତିଦେବା ସେସବୁ ଅଳିଆ
ମନ ମଧ୍ୟେ ଖୁସି ଭରି ।
ପରିବେଶ ରକ୍ଷା ଆମରି ସୁରକ୍ଷା
ଆମ ହାତେ ଅଛି ଭାଇ
ବୃକ୍ଷଶୂନ୍ୟ ହୋଇ ପ୍ରକୃତି କାନ୍ଦୁଛି
ସନ୍ତୁଳନ ରକ୍ଷା ପାଇଁ ।
ଭୂଲିଯାଇ ମନୁ ବାତ୍ୟାର ପ୍ରକୋପ
ହୃଦୟକୁ ଦମ୍ଭ କରି
ପୁଣି ଗଢ଼ିଦେବା ଆମରି ସପନ
ବାତ୍ୟା ଦେଖି ଯିବ ହାରି ।
ବାଡ଼ି ବଗିଚାରେ ଅବା ରାସ୍ତାକଡେ
ଅନାବାଦୀ ଭୂମିପରେ
ମିଳିମିଶି ସର୍ବେ ଗଛ ଲଗାଇବା
ନିଜ ନିଜ ଉଦ୍ୟମରେ ।
ଏକତାର ବଳ ହୁଏନା ବିଫଳ
ମନ ମଧ୍ୟେ ଟିକେ ହେଜ
ହାତ ସାଥେ ହାତ ମିଶାଇଲେ ଆମେ
ସୁନା ହୋଇଯିବ ରାଜ୍ୟ ।
