ଗୁଣୁ ଗୁଣୁ ହୁଏ
ଗୁଣୁ ଗୁଣୁ ହୁଏ
1 min
534
କବିତା ଦିବସ କବିର ଦିବସ
ଏଠି ତ କେତେ ଦିବସ
ପାଳନ ହୁଅଇ ଧୁମଧାମରେ
ମୁହଁରେ ଫୁଟାଇ ହସ।
କଟାକ୍ଷ କରୁନି ବେଦନାର ଗୀତି
ଗୁଣୁ ଗୁଣୁ ହୋଇ ଗାଏ,
କବିଟି ଯେ କେତେ ଅବହେଳିତ
ନୀରବରେ ବୁଝୁଥାଏ।
କବିତା ଶେଷରେ ପ୍ରଶଂସାର ସୁଅ
ପଛରେ ପାଏ ଗଞ୍ଜଣା,
ପେଟ ପୋଡୁଥାଏ ଭୋକର ବିକଳେ
ଅଭାବରେ ହୁଏ ବଣା।
ତଥାପି ଛାଡେନି କଲମ କାଗଜ
ଆସର ଫାସର କିଛି,
ସତମିଛ ଆଉ ବାହାନା ଭିଆଇ
ପାଏ ସେ ସେଥିରେ ଶାନ୍ତି।
ଆଜିକାର ଏଇ ରଙ୍ଗମୟ ମଞ୍ଚେ
ତା ସ୍ଥାନ ଖୋଜି ପାଏ ନା,
ଉପରେ ଉପରେ ଅଭିନୟ କରେ
ଏକଥା କେହି ବୁଝେନା।
ଯୋଜନା ଉପରେ ଯୋଜନା ବଢୁଛି
କବି ତାଲିକାରେ ନାହିଁ,
ଦିବସ ପାଳନ ପ୍ରଚାର ଫଟୋର
ପ୍ରହସନ କାହିଁ ପାଇଁ।
