ଗ୍ରୀଷ୍ମ ବିଜୟ
ଗ୍ରୀଷ୍ମ ବିଜୟ
ଘନ ଘୋର ପ୍ରଚଣ୍ତ ନିଦାଘ ଅଇରି
ଗମ୍ ଗମ୍ ତପ୍ତ ତା ରଶ୍ମି ତରବାରୀ
ଚିକ୍ ଚିକ୍ ଜ୍ଵଳନ୍ତ ଚକ୍ଷୁ କହୁଥାଇ
କ୍ଷଣକେ ମୁଁ ଧରା ଦେବି ଭସ୍ମ କରି ।
ତ୍ରାହି ତ୍ରାହି ଡାକେ ସକଳ ଜଗତ
ଶୀତଳ ପ୍ରାଣ ଅମୃତ ବର୍ଷିବ କେବେ ତ
ଅଧିଭୂତ ସଂତାପ ପ୍ରଚଣ୍ତ ଗ୍ରୀଷ୍ମ ତାପ
ଘୋର ଗର୍ବ ତା'ର ଭାଙ୍ଗିବ କେବେ ତ ।
ଧରା ର କୋହ ଶୁଭେ ନିସ୍ତବ୍ଧ ନିର୍ଜନେ
ସର୍ବାଙ୍ଗ ଫାଟିଯାଏ ହା ହା କାର ଗର୍ଜନେ
ତୃଷ୍ଣା ତା'ର ବିଶାଳ ମରୁଭୂମି ସମ
ଆକାଶ ର ପ୍ରୀତି ଖୋଜୁଥାଏ ସ୍ବପନେ ।
ପିଆସୀ ଚାତକ ର ଘନ ଘନ କୂଜନ
କୂଜନ ନୁହେଁ ସେତ ଆକୁଳ କ୍ରନ୍ଦନ
ବିକଳ ପ୍ରାଣ ତା'ର ଅସହ୍ୟ ଏ ଶୋଷ
ଘଟେ ଚେତନା ର ବିଲୋପ ଥମେ ହୃଦ୍ ସ୍ପନ୍ଦନ ।
ପାଷାଣ ଅହଲ୍ୟା ସମ ପଡ଼ିଅଛି
ଦିବ୍ୟ ପୁରୁଷୋତ୍ତମ ଙ୍କ ପଦ ରେଣୁ କୁ ଚାହିଁଛି
ଶୁଷ୍କ ପତ୍ର ନୁହେଁ ସେ ତ ନୟନ ର ଅଶ୍ରୁ
ଝରାଇ ବୃକ୍ଷ ବର୍ଷା ପରଶ ଲୋଡୁଛି ।
ବୟସ ର ସମ ନଦୀ ପୁଷ୍କରିଣୀ ସ୍ତର
ଖସିଯାଏ ତଳୁ ତଳ ବାରମ୍ବାର
ଅକାଳ ବାର୍ଦ୍ଧକ୍ୟ କିବା ହେଲା ଉପନୀତ
ତରଙ୍ଗ ରୂପରେ ଦେହ ହୁଏ ଥର ଥର ।
ସହିବାର ଶେଷ ସୀମା ଜାଣି ଏ ଜଗତ
ମେଘ ରାଇଜ କୁ ପ୍ରେରିଥିଲା ଦୂତ
ପକ୍ଷୀ ର ବିକଳ କୂଜନ ଯେ ପତ୍ର
ପ୍ରଚଣ୍ତ ବତାସ ସାଜିଥିଲା ଦୂତ ।
ମର୍ତ୍ତ୍ୟ ର ସଂତାପ ଦେଖି ମେଘ ରଜା
ଗ୍ରୀଷମ କୁ ଦେବ ବୋଲି କଠୋର ସଜା
ନିର୍ଘୋଷିଲା ପ୍ରଚଣ୍ତ ଯୁଦ୍ଧର ଡାକରା
ସଜାଇ ସଇନ ବଜାଏ ବୀର ବାଜା ।
ଦୁମ୍ ଦୁମ୍ ଦୁନ୍ଦୁଭି ଶିଙ୍ଗା ନାଗରା ଭେରୀ
ଝପ୍ ଝପ୍ ବାଦଲ ର ଫଉଜ ଧରି
କଳା ରଙ୍ଗେ ରଙ୍ଗା ବଦନ ଏକ ଲକ୍ଷ୍ୟ ଧ୍ୟାୟୀ
ମେଘ ରଜା ଚାଲେ ଦିଗ୍ ବିଜୟ କରି ।
ଖେଳିଯାଏ ବିଦ୍ୟୁତ୍ ଅସ୍ତ୍ର ର ଝଙ୍କାରେ
କମ୍ପିଯାଏ ଦଶ ଦିଗ ଘଡ଼ଘଡ଼ି ନାଦ ରେ
ଲାଗିଗଲା ଘୋର ଯୁଦ୍ଧ ଆକାଶ ଅଙ୍ଗନେ
ମୁଦିଯାଏ ଆଖି ବିପଦ ଶଙ୍କାରେ ।
ଦେଖ ମେଘ ରଜା ସୈନ୍ୟ ପରାକ୍ରମ
କ୍ଷଣକେ ସାଜିଲେ ଗ୍ରୀଷ୍ମ କାଳ ଯମ
ଛେଦି ତା'ର ତପ୍ତ ରଶ୍ମି ତରବାରୀ
ହରିନେଲେ ତେଜ ଏବେ ନିସ୍ତେଜ ଗ୍ରୀଷମ ।
ଝିପି ଝିପି ବର୍ଷିଗଲା ପ୍ରାଣର ଧାରା
ତୃଷା ନିବାରଣ କଲେ ଜଗତ ସାରା
ଜୟ ଧ୍ୱନି ଶୁଭେ ଚଉଦିଗୁ
ଆକାଶୁ ଝରୁଛି ଅମୃତ ପରା ।
ପାଦପେ ବାନ୍ଧିଲେଣି ପଲ୍ଲବ ର ତୋରଣ
ବିଜୟ ଉତ୍ସବ ସର୍ବେ କରିବେ ପାଳନ
ସବୁଜ ପାଟ ପିନ୍ଧି ହସେ ଧରା ରାଣୀ
ଅମୃତ ପରଶେ ପାଇଛି ସେ ପରାଣ ।
ମେଘ ରଜା ମୃଦୁ ହସେ ଦେଖି ଧରା ଶିରୀ
ଗଳା ରେ ଗ୍ରୀଷମ ବିଜୟ ମାଳା ପିନ୍ଧି କରି
ସୁଶୀଳ ବିନୟ ଏବେ ଆକାଶ ରେ ଖରା
ଇନ୍ଦ୍ରଧନୁ ଆଙ୍କିଛି ସେ ରଜା ସ୍ମୃତି ସ୍ମରି ।