ବସ୍ ଷ୍ଟାଣ୍ଡ
ବସ୍ ଷ୍ଟାଣ୍ଡ
ଅନେକ ଗାଡି ଆସୁଛି ଯାଉଛି
ଗାଡି ପଛେ ପଛେ ଅଳି କରୁଥିବା ପିଲାଙ୍କ ପରି
ଥୋଡାଏ ଧୂଳି,କାଗଜ ଟୁକୁଡା ,କାଠି କୁଟା
ଉଁ ହୁଁ ମୋ ଧୈର୍ଯ୍ୟ ରୁ ଚିରୁଡ଼ାଏ,
ଦୀର୍ଘ ଶ୍ୱାସ ରୁ ଚେନାଏ ।
ତଥାପି ମୋ ଗାଡି ଆସିନି ।
ଅନେକ ଗାଡି ଆସୁଛି ଆଉ ସିଆଡ଼ କୁ ଯାଉଛି
ଯେଉଁଠିକି ମୁଁ ହୁଏତ ଯିବାକୁ ଚାହୁଁଚି
ପଛରେ ବୁଢିଆଣି ସୁତା ର ସଂସାର ଠୁ ଲୁଚି
କିନ୍ତୁ ପ୍ରତି ଥର ଚିହ୍ନା ଜଣା ଠିକଣା ଦେଖି
ଓହ୍ଲେଇ ପଡିଛି ।
ହୁଏତ ସମୟ ଗଣନା ଆରମ୍ଭରୁ
ପୃଥିବୀ ରେ ପ୍ରଥମ ରବ ର ଜନ୍ମ ଠାରୁ
ମହାଶୂନ୍ୟ ଅନ୍ଧାରରୁ ଉକୁଟି ଆସୁଥିବା
କ୍ଷୀଣଜ୍ୟୋତି ଶିଖା ର ଆଦ୍ୟ ଲଗ୍ନ ରୁ
ମୁଁ ଗାଡି କୁ ଅପେକ୍ଷା କରିଛି ।
ଏବେ ଖାଲି କୋଳାହଳ
ଆସିବା ଫେରିବା ଲୋକଙ୍କର
ବିବ୍ରତ ବିଚିତ୍ର କୋଳାହଳ।
ବିଶ୍ରାମାଗାର ର ସିମେଣ୍ଟ ବେଞ୍ଚ ରେ
ନିଦେଇ ଗଲାଣି ବୁଢ଼ୀ ଟି କେତେବେଳୁ
ପାଟି ରୁ ଗଡି ଯାଉଛି
ଲାଳ-କୋହ-ମୋହ
ଏକଲା ଓସ୍ତ ଗଛ ମୂଳେ
ଖଣ୍ଡି ଉଡ଼ା ଦେଉଥିବା ହଳେ ପକ୍ଷୀ
ଚାରିଆଡକୁ ଚାହିଁ ଆଇସ କ୍ରିମ ଭାଗ କଲେଣି
ତାଙ୍କ ପର-ପକ୍ଷୀ ସବୁ ଗୋଲାପୀ ଦିଶୁଚି
ଗାଡି ଏବେବି ଆସିନି
ବେଳୁବେଳ ମୋ ଶ୍ୱାସ ର ଉତ୍ତାପ ରେ
ଡହକି ଯାଉଛି ମୋ ଚେତନା ର କ୍ଷୀଣ ରୂପ
ଏବେ ଆକାଶ ମେଘ ମେଘ
ଗାଡି ଆସିବା ଯେତେ ଡେରି ହୁଏ
ସେତେ ମୋ ଭାବନା କୁ ମାଡି ଵସେ
ଅଧା ଛାଇ ଅଧା ଆଲୁଅ ।
ଚିହ୍ନା ଜଣା ଚେହେରା ସବୁ ଅପସରି ଗଲେଣି କେତେବେଳୁ
ତଥାପି ମୋ ଗାଡି ଆସିନି
ଏମିତି ଅପେକ୍ଷା କରି କରି ମୁଁ ଫେରି ଯାଇପାରେ
ମୋର ପୁରୁଣା ବସାକୁ
ବୋଧହୁଏ ମୋ ଗାଡି ଆସି ନ ପାରେ
ଆସିଲେ ଏବେ ହୁଏତ ମୁଁ ଯାଇ ନ ପାରେ
କାରଣ ଏବେ ସେଠି ଲେଖାଥିବା ଠିକଣା
ମୋ ପୁରୁଣା ବସା କୁ ହିଁ ଯାଏ
ଯେଉଁଠି କୁ ମୁଁ କେବେବି ଚାହିଁନି ଯିବାକୁ……….।