ଗୋମାତା
ଗୋମାତା


ଗୋମାତା ପୂଜିବା
ଗୋସେବା କରିବା
ଆମରି ଧରମ।
ସେବାରେ ତାହାର
ନିଜକୁ ଅର୍ପିଣ
କରିବା କରମ।।
ମାଆ ପରି ସିଏ
ପାଳଇ ଆମକୁ
ଦେଇଣ ଗୋରସ।
ତା କ୍ଷୀର ପାନରେ
ବୃଦ୍ଧାରୁ ବାଳକ
ପାଆନ୍ତି ସନ୍ତୋଷ।।
ତା କ୍ଷୀରେ ପନିର
ଛେନା ଦହି ଘୃତ
ତିଆରି କରିଣ।
ଜୀବିକା ପାଳନ
କରନ୍ତି ଗୋପାଳେ
ହରଷ ହୋଇଣ।।
ମଳ ମୂତ୍ର ତାର
କରଇ ଉର୍ବର
ବିଲ ବାଡ଼ି କ୍ଷେତ।
ଖତ ସାର ରୂପେ
ଚାଷୀ ପୁଅ ତାକୁ
କରଇ ସଞ୍ଚିତ।।
କରନ୍ତି ପବିତ୍ର
ପକାଇ ଦ୍ୱାରରେ
ଗୋବର ପାଣିକୁ।
ଜାଳେଣି କରନ୍ତି
ଘରଣୀ ଆମର
ଶୁଖା ଗୋବରକୁ।।
ରୁମ ଗୋଟିଏକୁ
ଦେବତା ଗୋଟିଏ
ମାନନ୍ତି ସଭିଏଁ।
ପ୍ରକୃତିର କୋଳେ
ଅଟଇ ଜୀବନ୍ତ
ଦେଵତାଟି ସିଏ।।