ଗୋଲାପର ଲୁହ
ଗୋଲାପର ଲୁହ
ଗୋଲାପର ଲୁହ
______________
ଅଳପ ଅଳପ
ଶୀତ ପଡୁଥିଲା
କାକର ଭିଜା ସକାଳେ।
ଗୋଲାପ ଫୁଲଟି
ଫୁଟି ହସୁଥିଲା
ତୁଳସୀ ଚଉରା ମୂଳେ।
କାକରରେ ଭିଜା
ଗୋଲାପି ଓଠ ତା
ପବନେ କମ୍ପିତ ହୋଇ।
ପ୍ରିୟ ଅଳି ଓଠ
ପରଶ ପାଇଁକି
ସତେକି ଥିଲା ଅନାଇଁ।
ଦେଖି ମୁଁ ଭାବିଲି
ଆସନ୍ତା କି ଅଳି
ରଚିବାକୁ ଅଭିସାର।
ଗୋଲାପ ଅଳିର
ମିଳନର ଦୃଶ୍ୟ
ଦିଶନ୍ତା କି ମନୋହର!
କିନ୍ତୁ ମୁଁ ଦେଖିଲି
କଳା କୀଟ ଏକ
ଗୋଲାପ ଗଛେ ଚଢ଼ିଲା।
କଣ୍ଟା ଆଘାତକୁ
ଖାତିରି ନକରି
ଫୁଲ ପାଖେ ପହଞ୍ଚିଲା।
ନିର୍ଦ୍ଦୟ ଭାବରେ
ଫୁଲ ପାଖୁଡାକୁ
ଝୁଣିବାକୁ ସେ ଲାଗିଲା।
ତା'ର ସେ ନିଷ୍ଠୁର
ଆଘାତେ ଗୋଲାପ
ଧୀରେ ଧୀରେ ହଲୁଥିଲା।
ଲାଗିଲା ସତେକି
ଗୋଲାପଟି ମୋତେ
ଡାକୁଛି ହାତ ହଲେଇ।
ରକ୍ଷାକର ବୋଲି
ଦୁଷ୍ଟ କବଳରୁ
ବିକଳେ କହୁଛି ସେହି।
ଗୋଲାପ ଉପରୁ
କୀଟଟାକୁ ଯାଇ
ତଳକୁ ପକାଇ ଦେଲି ।
କୀଟ ଦଂଶନରେ
ଫୁଲ ପାଖୁଡ଼ାରେ
ଛିଦ୍ର ହୋଇଛି ଦେଖିଲି।
ଫୁଲର ସୌନ୍ଦର୍ଯ୍ୟ
ନଷ୍ଟ ହେଲା ତାକୁ
ହୋଇ କି ନଥିବ କଷ୍ଟ !
ଏକଥା ନବୁଝି
ଦୁଷ୍ଟ କଳାକୀଟ
କଲା ତା'ର ଶୋଭା ନଷ୍ଟ।
ସେ କୀଟ ସହିତ
କାକର ବିନ୍ଦୁଟେ
ତଳକୁ ଖସି ପଡିଲା।
ଲାଗିଲା ଯେମିତି
କାକର ସେ ନୁହେଁ
ଗୋଲାପର ଲୁହ ଥିଲା।
ପ୍ରକୃତିର ଶୋଭା
ସାଇତି ରଖିବା
ପ୍ରାଣୀର ଧର୍ମ ଅଟଇ।
କିନ୍ତୁ କୀଟ ଭଳି
ଦୁଷ୍ଟ ପ୍ରାଣୀ ଯିଏ
ସେ ଶୋଭା ସେ ବିନାଶଇ।
-------------------------------
© ବିଶ୍ଵନାଥ ନାୟକ