ଗୋଧୂଳି...୩
ଗୋଧୂଳି...୩
#ଗୋଧୂଳି - ୩ -
*************
ଆଜିର ଦିନ ଟି ସତରେ ସରି ଆସିଲା କି.....?
ନା ନା ସରିବନି ।
ଏମିତି କେମିତି ସରିଯିବ ଯେ ,
ଏ ଯାଏଁ ତ ବାକି ଅଛି
ମୋର ପ୍ରତି ଟି ଦାୟିତ୍ବ ।
ଏ ପ୍ରହର ତ ଏମିତି ଯାଉଛି
ଯେମିତି ଖସିଯାଏ ହାତମୁଠାରୁ ବାଲୁକା ,
ଏ ସମୟ ତ ଏମିତି ହଜି ଯାଉଛି
ଯେମିତି ମିଳେଇ ଯାଏ
ପାଣି ଫୋଟକା ।
କେମିତି ଅଟକାଇବି ଏ ସମୟ କୁ ....
କେହି କଣ ଅଟକାଇ ପାରେ ସମୟକୁ.....
ହଁ ଏ ତ ସେ ପୁରାଣ ନୁହେଁ
ଯେଉଁଠି ସତୀଟିଏ ପାଇଁ ରାତି ବି ପାହିବାକୁ କୁଣ୍ଠିତ ଥିଲା ,
ସେ ସିନା କହିଥିଲେ "ନ ପାହୁ ରାତି ନ ମରୁ ପତି"
ହେଲେ .......
ମୁଁ କଣ କହିବି ମୋ ଭୋକିଲା ପିଲାକୁ.....
ମୋ ସ୍ତ୍ରୀ କୁ......
କଣ କହି ବୁଝାଇବି ମୋ ରୋଗିଣା ମା କୁ.......
ଏଇଆ ଯେ ତୋର ଏ ରିକ୍ସାବାଲା ପୁଅ ଅସମର୍ଥ,
ଏଇଆ ଯେ ତା ପାଇଁ ସମୟ ଅଟକୁନି ।
କଣ କହିବି........
ଏଇଆ ଯେ ସବାରି ଟିଏ ମିଳିଲାନି ।
ଏଇ ମୋର ରିକ୍ସା ଦେଖିଛି
ଭିନ୍ନ୍ ରୂପୀ ,ଭିନ୍ନ ମୁଖୀ ମଣିଷକୁ ।
କଲେଜ ଛାତ୍ର ଛାତ୍ରୀର ପ୍ରତି ଟି ପ୍ରେମର ଶବ୍ଦକୁ
ଅନୁଭବ କରିଛି ଏଇ ତିନି ଚକିଆ ,
ସହାନୁଭୂତି ହୃଦୟ ଟିକୁ ନେଇ
କେବେ ପାଇଛି ବକସିସ୍ ,
କେବେ ପୁଣି ମିଳିଛି ଧିକ୍କାର ।
ନିଜେ ସିନା ମୁଁ ପଢିନି ଦୁଇ ଅକ୍ଷର
ହେଲେ ଜ୍ଞାନୀ ,ଗୁଣୀ ସଭିଙ୍କୁ କୋଳରେ ବସାଇଛି
ଏ ମୋ ରିକ୍ସା.....
ହେଲେ ଆଜିର ମୋ ଖାଲି ପକେଟ
କି ଜବାବ୍ ଦେବ ,
ଭୋକିଲା ପେଟକୁ ଦାନା କେମିତି ଦେବ ,
ଜାଣିଛି ... ମୁଁ ଜାଣିଛି
ସବୁରି ମନ ଖୋଜେ
ଦିନଟୁ ସରୁ , ଟିକିଏ ଆରାମ ମିଳୁ ଏ ତନୁକୁ ।
ହେଲେ ମୁଁ ଖୋଜୁନି ସେ ଆରାମ ,
ମୁଁ ଚାହୁଁନି ଏ ସୂର୍ଯ୍ୟ ଅସ୍ତ ହୁଅନ୍ତୁ ,
ଚାହୁଁନାହିଁ ଏ ସମୟ ଆଗେଇ ଯାଉ ।
ମୁଁ ଅଟକେଇ ଦେବାକୁ ଚାହୁଁଛି ଏ ଗୋଧୂଳିର ସମୟକୁ ...
ଏଇଠି.........
ହଁ ଏଇଠି...............
ମୋର ଭିତର ପିତୃ ମନ କହୁଛି
ହଁ ସମୟ ଅଟକି ଯାଉ ,
ଅନ୍ତର ର ପୁତ୍ର ମନଟି ବିକଳେ
କହୁଛି ଘର ଫେରନ୍ତା ପଥିକ
ଆସ ମୋ ପାଖକୁ ,
ମୋର ଏ ଅନ୍ନଦାତ୍ରୀ ଖୋଜୁଛି ତୁମକୁ
ତା କୋଳରେ ସେ ମିଟେଇ ଦେବ
ତୁମ ପାଦର ହାଲିଆ ପଣକୁ ,
କିଛି ମାଗୁନି ସେ ଖାଲି ମାଗୁଛି ,
ତା ର ପାରିଶ୍ରମିକ .......
ହେଲେ ସତେ କଣ ଅଟକିବ
ଏ ଗୋଧୂଳିର ଏଇ ମୁହୂର୍ତ୍ତ ....
କେବଳ ମୋ ପାଇଁ .....
କଣ ସେ ଅଟକାଇ ପୂରଣ କରାଇପାରିବ
ମୋ ମନର ଇଚ୍ଛା......
କଣ ଏଇ ଗୋଧୂଳିର ବେଳ ଟିକିଏ ଅଟକି
ଦେଇ ପାରିବ ମୋର
ଏ ଅଧରକୁ ହସିବା ପାଇଁ କାରଣଟିଏ...............
