ଗଙ୍ଗଶିଉଳିର ବାସ୍ନା
ଗଙ୍ଗଶିଉଳିର ବାସ୍ନା
1 min
387
ଜହ୍ନିଫୁଲ ସମ ପ୍ରସ୍ଫୁଟିତ ଅଙ୍ଗ
ନୟନେ ସାଗର ନୀଳିମା,
ରୂପ ମାଧୁର୍ଯ୍ୟରେ ସରି କି’ ହୋଇବ
କାଉଁରୀ ରାଇଜ ଲଳନା
ତୁମେ ମେନେକା ରମ୍ଭା ତିଳତ୍ତମା,
କେବେ ସିନ୍ଧୁ’ର ଅମାନିଆ ଢେଉ କେବେ ପାହାଡ଼ର ଝରଣା ।।
ମୁଖ ମଣ୍ଡଳେ ବିଭା ବରଷାଇ
ଶରଦ ପୁନେଇଁ ଚନ୍ଦ୍ରମା,
କେଶ ବିନ୍ୟାସେ ବିରାଜଇ ସତେ
ଘନ ନିଦାଘର କାଳୀମା
ତୁମ ସୌନ୍ଦର୍ଯ୍ୟର ନାଇଁ କଳନା,
ଇନ୍ଦ୍ରଧନୁ ଅବା ଢାଳି ଦେଉଥାଇ ସପ୍ତରଙ୍ଗର ଉପମା ।।
ସୁବାସରେ ତୁମେ ହେନା-ଜୁଇ-ଜାଇ
ସୁଭାଷେ କପୋତ ମଇନା
ସ୍ପର୍ଶରେ ତୁମ ଅମୀୟ ବରଷେ
ଜାଗିଉଠେ ପ୍ରାଣେ ପ୍ରୀତି ପ୍ରାଣୟର ତୃଷ୍ଣା
ଅଙ୍କୁରିତ ହୁଏ ଭାବର ଆବେଗ,
ନିଶାର୍ଦ୍ଧରେ ଅବା ବିଛୁରିତ ହୁଏ ଗଙ୍ଗଶିଉଳିର ବାସ୍ନା ।।
