ଘାସିରାମର ସଂଘର୍ଷ
ଘାସିରାମର ସଂଘର୍ଷ
ବଦଳି ଗଲାଣି ସେଦିନ
ଏବେ ଆଉ କିଛି ନାହିଁ,
ତଥାପି ସ୍ମୃତିର ଆଇନାରେ
ଝଲସି ଉଠେ କାହିଁ ପାଇଁ।
ସାଙ୍ଗ ମାନଙ୍କ ସହ ଧାଡିରେ ବସି ସ୍କୁଲରେ ଖାଇବା
ବେଳେବେଳେ ମନେ ପଡେ କାହିଁପାଇଁ,
ଏବେ ବି ସେ ପ୍ରଶ୍ନର ଉତ୍ତର ମିଳେନି
ଘାସିରାମ ଓ କୁନ୍ତୀ ଅଲଗା ବସୁଥିଲେ କାହିଁପାଇଁ।
ପାଗଳ କରିଥିଲା ସେତେବେଳେ
ଧାରାବାହିକ ଅଲିପ ଲଇଲା,
ଚନ୍ଦ୍ରକାନ୍ତା ବି ଦେଖୁଥିଲୁ ଗଉନ୍ତିଆ ଘରେ
ସାହିଯାକ ସବୁ ପିଲା।
ମଳିମୁଣ୍ଡିଆ ଥିଲେ କେତେ
କେତେକଙ୍କର ଘାଆ କେବେ ଶୁଖୁନଥିଲା,
ସଫାସୁତୁରା ରହିବି କାହିଁକି କେଜାଣି
ଘାସିରାମ ଘର ବାରଣ୍ଡାରୁ ଦେଖୁଥଲା।
ସଂକ୍ରାମକ କିଛି ରୋଗଥିଲା ବୋଧେ ତାକୁ
ଗଉନ୍ତିଆ ଘର ଚାକରାଣୀ ଦୂରେଇ ରହିବାକୁ କହୁଥିଲା,
ଆଜି ବି ସେ ପ୍ରଶ୍ନର ଉତ୍ତର ମିଳେନି
ଘାସିରାମକୁ କୋଉ ରୋଗ ହୋଇଥିଲା।
ସେତେବେଳେ ସିନା ଶିଶୁଟିଏ ଥିଲି
ବୁଝିବା କ୍ଷମତା ନଥିଲା,
ଏବେ ମୁଁ ବୁଝୁଛି ଘାସିରାମ ପାଇଁ
ବାଲ୍ୟକାଳ କେତେ ସଂଘର୍ଷମୟ ଥିଲା।
