STORYMIRROR

Umasankar Sahu

Others

2  

Umasankar Sahu

Others

ଗାଁ'କୁ ଯିବା

ଗାଁ'କୁ ଯିବା

1 min
306



ଆ'ରେ ସାଙ୍ଗ ଆମେ ଗାଁ'କୁ ଯିବା

ଅଗଣାରେ ବସି ଚାହା ପିଇବା ।।


ଶୀତୁଆ ସକାଳ କଅଁଳ ଖରା,

ଉହ୍ମେଇ ନିଆଁ'ର ମଜା ନିଆରା ।।


ସିନ୍ଦୁରୀ ବେଳାର ନୁଆଁ ସୁରୁଜ,

ବୁଣୁଥିବ ସେଠି ନାଲି ମୁରୁଜ ।।


କୁହୁଡି କାକର ଶୀତ ସକାଳ,

ଦୂରୁ ଶୁଭୁଥିବ ଗାଈ ହମ୍ବାଳ ।।


ଗାଁ ପୋଖରୀର ତୁଠ ପାହାଚ,

ଝୁରୁଛି ଆମ ଗାଁ ପିଜୁଳି ଗଛ ।।


ଭାଗବତ ଟୁଙ୍ଗୀ ଦାସକାଠିଆ,

ଭାରତଲୀଳା ନାଚ ଭାରି ବଢିଆ ।।


ଭାରି ମନେପଡେ ଗାଁ-ଓଷାକୋଠି,

ମଗୁଶୁର ମାସ ପୀଠଉ ଝୋଟି ।।


ଗାଁରେ ଦେଖିବା ସବୁଜ କ୍ଷେତ,

ଶୁଣିବା ଚଷାର ହଳିଆ ଗୀତ।।


ଲତା ମାଳିଥିବ ଅପରାଜିତା,

ସେଠି ନଈ ପରବତ କୁହଇ କଥା ।।


କୋଇଲି ସାଙ୍ଗକୁ କଜଳପାତି,

ଆମ୍ବଡାଳେ ବସି ଗୀତ ଗାଆନ୍ତି ।।


କିଆରୀରେ ହସେ ସୁନାର ଧାନ,

ମାଟି ଯହିଁ ବୁଝେ ମଣିଷ ମନ ।।


ସାହି ପଡ଼ିଶାଙ୍କ ସ୍ନେହ ସରାଗ,

ସହରେ କି' ଅଛି ଗାଁ'ର ଭାବ ।।


ଦଉଡିଆ ଖଟ ତାଳ ବିଛଣା,

ଗାଁ'ରେ ଲୁଚିଛି ଆମ ଠିକଣା ।।


ବାନ୍ଧି ରଖେ ଯା'ର ମମତା ଡୋରୀ,

ଚାଲ ଯିବା ସାଙ୍ଗ ସେ ଗାଁ'କୁ ଫେରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍