ଏଇତ ଜୀବନ
ଏଇତ ଜୀବନ
ପିତା ମାତା ପ୍ରେମେ ଗଢା ଏ ଶରୀର
ମାତୃ ଗର୍ଭେ ପାଇ ସ୍ଥାନ,
ସଂସାର ସୃଷ୍ଟିରେ ସୃଷ୍ଟି କର୍ତ୍ତା ପ୍ରଭୁ
କରିଲେ ଜୀବନ ଦାନ ।
ଜୀବନ ରୂପରେ ଆତ୍ମା ସଙ୍ଗେ ଅଛି
ବାସ ଯହିଁ ନାରାୟଣ,
ଯୋଡି ଦେଇଛନ୍ତି ହୃଦୟ ତା ସଙ୍ଗେ
ବିବେକ ସୁବୁଦ୍ଧି ଜ୍ଞାନ ।
ପଞ୍ଚଭୂତ ମିଶି ଶରୀର ହୋଇଛି
ସଙ୍ଗେ ପୁଣି ପାଞ୍ଚ ମନ,
ଷଡ ରିପୁ ସାଥେ ପାଞ୍ଚଟି ଇନ୍ଦ୍ରିୟ
ଖଞ୍ଜିଛନ୍ତି ଭଗବାନ ।
ବାୟୁ, ଜଳ, ତେଜ, ଆକାଶ, ପୃଥିବୀ
ପଞ୍ଚଭୂତ ବୋଲି ଜାଣ,
ଆମନ, ବିମନ, ସୁମନ, କୁମନ
ମନ 'ପଞ୍ଚମନ' ଶୁଣ ।
କାମ, କ୍ରୋଧ, ଲୋଭ, ମୋହ, ମାୟା, ହିଂସା
ଷଡରିପୁ ଅଟେ ଏଇ,
ଚକ୍ଷୁ, ନାଶା, ଜିହ୍ବା, କର୍ଣ୍ଣ, ଚର୍ମ ଘଟେ
ପଞ୍ଚ ଇନ୍ଦ୍ରିୟ ଅଟଇ ।
ମନ, ଇନ୍ଦ୍ରିୟ ଓ ଷଡରିପୁ ତୁମେ
ବଶ କରିଥିଲେ ଯାଇ,
ସ୍ନେହ, ପ୍ରେମ, ଶ୍ରଦ୍ଧା, ଭକ୍ତି, ଦାନ, ଜ୍ଞାନ
ହୃଦେ ଜାଗ୍ରତ ହୁଅଇ ।
ସତ୍ୟ, ଶାନ୍ତି, ଦୟା, କ୍ଷମାର ପଥରେ
ହୋଇ ପାରିଲେ ବାଟଇ,
ତୃଟି ନ ହୁଅଇ ପାପ ନ ଲାଗଇ
ବେଦ ଓ ଶାସ୍ତ୍ର କହଇ ।
ସଂସାର ଜଞ୍ଜାଳେ ସାଂସାରିକ ହୋଇ
ପ୍ରଭୁ ପାଦେ ଲୟ ଦେଇ,
କର୍ମ କରୁଥିଲେ ବିଭୁ କୃପା ବଳେ
ଜୀବକୁ ମୋକ୍ଷ ମିଳଇ ।
ଦୀନ ହୀନ ଜନ ଅକ୍ଷୟ ବଚନ
ସାଧୁ ନ ଧରିବ ଦୋଷ,
ଧର୍ମର ପଥରେ ବାଟ ଚାଲିବାକୁ
ସ୍ନେହରେ ଦିଅ ଆଶିଷ ।
