STORYMIRROR

Kulamani Sarangi

Others

4  

Kulamani Sarangi

Others

ଦେବଯାନୀ(ଷଷ୍ଠ କଳିକା)

ଦେବଯାନୀ(ଷଷ୍ଠ କଳିକା)

1 min
275


"ଉଠ ଦେବଯାନୀ, ଉଠଗୋ !" ଡାକେ ଆଶ୍ରମ ଶାରୀ,

 ହେଲାଣି ପ୍ରଭାତ,ମେଲାଣି ଘେନିଲେଣି ଶର୍ବରୀ ।। 


ମଲ୍ଲୀ,କୁନ୍ଦ,ହେନା, ସୁଗନ୍ଧରାଜ,ଗୋଲାପ ବାସେ, 

ଚାଙ୍ଗୁଡି ସଜାଇ ମଳୟ ଉଭା ଗବାକ୍ଷ ପାଶେ।।"


ଶୋଇଥିଲେ ଶୁକ୍ରନନ୍ଦିନୀ , କୃଷ୍ଣ ମୃଗ ଛାଲରେ  

ହେମାଙ୍ଗ ଦିଶଇ ଚପଳା ଯଥା କଳାମେଘରେ !!


ପକ୍ଷୀ କାକଳୀରେ ତୁଟିଲା ନିଦ୍ରା, ମୁନିକୁମାରୀ 

ଭାଙ୍ଗନ୍ତେ ଅଳସ ଦିଶିଲେ , ପୁଷ୍ପ କାର୍ମୁକ ପରି।।


ଗବାକ୍ଷ ଖୋଲନ୍ତେ ମଳୟ ଦେଲା ସୁରଭି ଭେଟି ,

ଅଙ୍ଗଲତିକାରେ ପ୍ରସନ୍ନ-ପୁଷ୍ପ ଉଠିଲେ ଫୁଟି।


ଭରିଦେଲେ ଉଷା ଲାଳିତ୍ୟ, ଦେବଯାନୀ ଅଙ୍ଗରେ, 

ଶତଗୁଣ ଅଙ୍ଗ-ମାଧୁର୍ଯ୍ୟ,ଉଷା ଧୀର ସ୍ପର୍ଶରେ।।


ତରତର ହୋଇ ଆସନ୍ତେ ସ୍ନାନ ସାରି ନିର୍ଝରୁ,

ଫୁଟିଉଠେ ଅଙ୍ଗ-ଲତିକା ସିକ୍ତ ଝିନ୍ନ ବାସରୁ ।


ଚକ୍ରବାଳେ ଗଲେ ଅଟକି ରବି ଦେଖି ଏ ଭାବ,

ବିଚଳିତ କଲା ସୂର୍ଯ୍ୟଙ୍କୁ ବାଳା ଅଙ୍ଗ ସୌଷ୍ଠବ।।


ଛୁଇଁବାକୁ ରବି ଇଚ୍ଛିଲେ ବାଳା ଅଙ୍ଗ ବଲ୍ଲରୀ,

ଅପବାଦ ଡର ଘାରିଲା କର ଆସିଲା ଫେରି।।


ଦିନେ ହୋଇଥିଲେ ଲଜ୍ଜିତ ଛୁଇଁ ଅହଲ୍ୟା ଅଙ୍ଗ,

ଅତୀତ ସୁମରି ରବିଙ୍କ ମୋହ ହୋଇଲା ଭଙ୍ଗ।।


ଜାଣି ପତିଙ୍କର ମତିକୁ , ଛାୟା ସୁନ୍ଦରୀ ହେଳେ,

ବୃକ୍ଷ ମୂଳେ ଦେବଯାନୀଙ୍କୁ ନେଲେ ପାଛୋଟି କୋଳେ।।


କଷାୟ ବସନେ ମଣ୍ଡିତା ହୋଇ ମୁନିକୁମାରୀ,

ଚଳିଲେ ଉଦ୍ୟାନ ଆଶ୍ରମେ ପୁଷ୍ପ ଚୟନ କରି।।


ନାନାବିଧ ପୁଷ୍ପ ଚୟନ କରୁଁ ,ଦେଖିଲେ ଡୋଳେ, 

ଆଶ୍ରମ ସୌନ୍ଦର୍ଯ୍ୟେ ମଗନ ଏକ ଯୁବକ ଭୋଳେ ।।


ଅପରୂପ ଜ୍ୟୋତି ନିର୍ଗତ ଅଙ୍ଗୁ, ସୌମ୍ଯ ମୂରତି,

କାମଦେବ ସତେ ସ୍ୱଦେହେ ମର୍ତ୍ତ୍ୟେ ବିରାଜିଛନ୍ତି।


ପୁଣି ବିଚାରନ୍ତି ଏ ନୁହେଁ ମାର ନାହିଁ ତ ଧନୁ,

ହର କୋପାନଳେ କନ୍ଦର୍ପ ପରା ବିଦେହ ତନୁ ।।


କୋଟି କାମରୂପ କେଶବ ଅବା ହୁଅନ୍ତେ ଏହି,

ଶଙ୍ଖ,ଚକ୍ର,ଗଦା,ପଦ୍ମ ତ ତାଙ୍କ ହାତରେ ନାହିଁ ।।


ଦାନବ ରାଜ୍ୟକୁ ଆସିଲେ କେଉଁ ଦିବ୍ୟ ପୁରୁଷ !  

କେଉଁ ଶାପଗ୍ରସ୍ତ ଦେବତା ଅଙ୍ଗେ କଷାୟ ବାସ !!


ମୁଖେ କୃଷ୍ଣ ସ୍ମଶ୍ରୁ କପାଳେ ତିଳକ ରାମାନନ୍ଦୀ,

ହସ୍ତେ ବେଦପୋଥି ବକ୍ଷରେ ଉପବିତ ଶୋଭନ୍ତି।।


ଅଙ୍ଗରୁ ନିର୍ଗତ ଶୀତଳ ପ୍ରଭା, ହେବେ କି ଚନ୍ଦ୍ର !!

ପିତାଙ୍କ ସଙ୍ଗେ ସନ୍ଧି ପାଇଁ, ଆସିଛନ୍ତି କି ଇନ୍ଦ୍ର ?


ଯୁବା ସୌମ୍ଯରୂପ ଅଜ୍ଞାତେ,ବାସ-ଚନ୍ଦନ ପ୍ରାୟେ,

ବୋଳି ହୋଇଗଲା ବାଳାର ପ୍ରୀତି ପ୍ରତିମା ଦେହେ।।


ସଜାଡି ପଣନ୍ତ ଦେହରେ ଧୀରେ ନବକିଶୋରୀ,

ପହଞ୍ଚିଲେ ଯୁବା ସମୀପେ ପ୍ରଶ୍ନ ପାହାଡ ଧରି।।


କ୍ରମଶଃ- -----


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍