STORYMIRROR

Eli Mohanty

Others

5.0  

Eli Mohanty

Others

ଚିତ୍ର ଆଖିର ବାଘ :୬

ଚିତ୍ର ଆଖିର ବାଘ :୬

1 min
13.9K




ମୁଖାକୁ ଘୃଣା କରେ ବୋଲି

ବାଘ ଦେଖେନି ଶିକାରର ଆଖି

ଲୁହ ଓ ଭୟର ମୁଖା ଭିତରୁ

ଦୁଇଟି ଆଖି ଚିହ୍ନୁଥାଏ ମୃତ୍ୟୁକୁ

ଯାହାକୁ ସେ ଆଜନ୍ମ ପଳ ପଳ ଭୋଗିଥାଏ

ପ୍ରାର୍ଥନା ବି ଗୋଟିଏ ଚମତ୍କାର ମୁଖା..!

ଯୋଉ ଆଖି ସାରା ରାତି

ଆରବ ରାଜକୁମାରର ମଧୂପାତ୍ର...

ଲାଲ ଲେହେଂଗା...

ପୀନ ପୟୋଧରେ ଦାନ୍ତ ଚିହ୍ନର

ସୂକ୍ଷ୍ମ କାରିଗରୀର ସ୍ୱପ୍ନ ଦେଖେ

ସେଇ ଆଖି ଭୋର ର ଆଲୁଅରେ

ପାଲଟିଯାଏ ଶୁକ୍ଲବର୍ଣ୍ଣି ପ୍ରାର୍ଥନା ?

ବାଘ ପରଖିନିଏ-

ଶିକାରର ମୁହଁରେ ପ୍ରାର୍ଥନାର ମୂଖା

ଯିଏ ସଂପୂର୍ଣ୍ଣ ସମର୍ପଣ ରେ ବୁଜି ପାରେନି ଆଖି...

ଯାହାର ମୋହରେ ମୋହ ପୁଣି କାଳକୁ ଭୟ...

ବାଘ ଚୁପ ଚାପ ଦେଖେ,

ଲୁହର ମୁଖା,ହସର ମୁଖା, ଜୀବନ ଉପରେ

ଜୀବନର ମୁଖା.....

ହସର ମୁଖା ଭାରି ଭାରି

ତାକୁ ଘୋଷାରୁଥିବା ମୁହଁ ଦର୍ପଣ ଦେଖିବାକୁ ଭୟକରେ

ଭୟକରେ ଲୁହ ନିଗାଡିବାକୁ ଆଲୁଅରେ

ଟୋପାଏ ଲୁହ ପାଇଁ ଅସଂଖ୍ୟ ଆଖି,ଅପର୍ଯ୍ୟାପ୍ତ ପ୍ରଶ୍ନ

ଆଉ ଠିକ

କୈଫିୟତ ଦବା ବେଳେ ଝାମ୍ପି ପଡେ ବାଘ

ନିଜ ଭିତରେ ନିଜର କୁ୍ଁ କୁଁ ସ୍ୱର ମୁଖାପରି ଅଚିହ୍ନା ଲାଗେ

ନିଜକୁ ଭେଟିବାକୁ ଭାରି ଭୟ ମୁହଁର...

ଅନ୍ଧାରରେ ବି ବେଳେ ବେଳେ

ମୁଖା ଖୋଲିବାକୁ ଡରେ

ନିଦରେ ଦେଖେ ନିଜ ପରି କେହି ଜଣେ

ଯାହାକୁ ସେ ସାରାଦିନ ଭୋଗେ..

ବାଘ ମୁଖାକୁ ଘୃଣା କରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍