ଚିତ୍ର ଆଖିର ବାଘ : ୧୬
ଚିତ୍ର ଆଖିର ବାଘ : ୧୬
ନିଥର ଜଂଗଲର ନିଦୁଆ ରାତି ଚିରି
କେବେ କେବେ ଦୀର୍ଘନିଶ୍ୱାସଟିଏ
ପାଗଳ ହୁଏ....
ଜଂଗଲ ସାଇତିରଖେ
ବାଘର ପାଗଳପଣ..
ସମଗ୍ର କ୍ରୁରତାକୁ ଅତିକ୍ରମ କରି
ବାଘ ଯେବେ ନିଜକୁ ନଷ୍ଟ କରେ
ଜଂଗଲ କହେ
ବାଘର ବିରହ କଥା.......
ଯିଏ ଗୋଟିଏ ଜହ୍ନରାତିକୁ କଂକଣ କରି
ନିଜର ତମାମ ଜୀବନର ସାଇତା ଗର୍ଜନକୁ
କମଣ୍ଡଳୁରେ ପୁରେଇ
ପ୍ରେମିକାର ପରିଚିତ ବାଟରେ
ଶୁଆଇଦେଇଥିଲା ବାର୍ଦ୍ଧକ୍ଯର ହଳେ ଆଖି.........
ଯିଏ ଅନେକ ଦିନ ପରେ ଜାଣିଲା
ଆଖି ବି ଲୁହ ହରେଇ
ଦିନେ ଚିତ୍ର ହେଇଯାଏ ।
ସେଇ ଚିତ୍ର ଆଖିର ବାଘ
ସ୍ୱପ୍ନଦେଖେ
ସ୍ୱପ୍ନରେ ଖୁବ ଦୈାଡେ
ଦୈାଡି ଦୈାଡି ହାଲିଆ ହୁଏ,
ଶେଷରେ,
ଜହ୍ନରାତିର କଂକଣ ପିନ୍ଧି
ଶିକାର କ୍ରମେ ପ୍ରେମିକା ପାଲଟେ !!
ପ୍ରେମିକାର ନରମ କଲିଜା...
ଚିହ୍ନା ଚିହ୍ନା....!
ପ୍ରେମିକା ଖିନ ଭିନ କରି ଉତ୍ତାରି ଦିଏ
ତାର ଗୋଟି ଗୋଟି ଅଂଗ ଏବଂ
ସର୍ବଶେଷ ହିଂସ୍ରତା
ତା'ର ପ୍ରେମ......!!
ଏମିତି ନିତି ଘଟେ
ନିଇତି ଶୂନଶାନ ରାତିରେ
ବାଘ ଖୋଜେ ତା' ପ୍ରେମିକା.....?
ଆଉ
ବାଘର ବିରହରେ
ସାରା ଜଂଗଲ ଚୁପ ପଡିଯାଏ...!!
(ଆପଣ ମାନଂକର ଅଶେଷ ଭଲପାଇବା ପାଖରେ ବାଘ କୃତଜ୍ଞ )
