ଚିରନ୍ତନ ମହାସତ୍ୟ
ଚିରନ୍ତନ ମହାସତ୍ୟ
1 min
233
ପ୍ରଭୁଙ୍କ କୃପାରେ ଏ ଧରାଧାମରେ
ମଣିଷ ଜନମ ପ୍ରାପ୍ତ
ଏକା ଆସିଅଛ ଏକା ଚାଲିଯିବ
ଚିରନ୍ତନ ମହାସତ୍ୟ ।
ଦୁର୍ମୂଲ୍ୟ ଜୀବନ ପାଣିର ଫୋଟୋକା
ନୁହେଁ ଜମା ଚିରସ୍ଥାୟୀ
କାଳ ପୁରିଗଲେ ମୋହ ତ ତୁଟିବ
ହୋଇଯିବ ଧରାଶାୟୀ ।
ମିଛ ଅହଂକାର ହୃଦୟେ ଆବୋରି
ଲୋଭ ସ୍ୱାର୍ଥ ଆପଣାଇ
ପାରିବ କି କୁହ ମୃତ୍ୟୁ କୁ ଏଡାଇ
ଧନ ଜନ ଲାଞ୍ଚ ଦେଇ ।
ଆତ୍ମ ବଡ଼ିମାରେ ନଥାଏ ସମ୍ମାନ
ସତକର୍ମେ ଥାଏ ମାନ
ଅମରତ୍ୱ ଲଭି ଦୁନିଆ ବୁକୁରେ
ଜନ୍ମ ହୋଇଥାଏ ଧନ୍ୟ ।
ପର ଦୁଃଖେ ଦୁଃଖୀ ପର ସୁଖେ ସୁଖୀ
ହୋଇପାରେ ଯେଉଁ ଜନ
ସ୍ଥୁଳ ଏ ଶରୀର ହୋଇଲେ ବି ଲୀନ
ମୋକ୍ଷ ଲଭେ ସୂକ୍ଷ୍ମ ପ୍ରାଣ ।
ଦୂର କରିଦେଇ ଅସୂୟା ମନରୁ
ସ୍ନେହ ପ୍ରେମ ହୃଦେ ଭରି
ଦୟା,କ୍ଷମା ,ଶାନ୍ତି, ସହନ ଗୁଣରେ
ବାନ୍ଧ ସମ୍ପର୍କର ଡୋରି ।
