STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ଛାଇ

ଛାଇ

1 min
194

ଆଲୁଅ ଉପସ୍ଥିତିରେ ବି ଅନ୍ଧାର ଆସେ ଛାଇଟିଏ ହୋଇ

ମନ୍ଦିର ଭିତରେ ବି ଦୁଷ୍କର୍ମ ଘଟିଯାଏ ପାପଟିଏ ହୋଇ

ସବୁଦେଖି ବି ଅନ୍ଧ ସାଜନ୍ତି ଆଲୁଅ ଓ ଈଶ୍ୱର

ଧର୍ମ ଛିଡି ଖସେ ଶର୍ବରୀ ଆକାଶେ ଉଲକାଟିଏ ହୋଇ। 


ବିଦ୍ୟାଳୟ ବି ସାଜେ ବ୍ୟବସାୟ କ୍ଷେତ୍ର ଅର୍ଥାଗମ ପାଇଁ

ଦରବାର ଆଜି ସ୍ୱତଃ ପାଲଟିଛି ଚାଟୁକାରଙ୍କ ଚରାଭୂଇଁ

ସମାଜ ଧାଇଁଛି ଆତ୍ମ ବିଜ୍ଞାପନର ପଛେ ପଛେ

ଫଗୁଣ ଆସେନା ନିରସ ହୃଦୟେ ପ୍ରୀତି ସମ୍ଭାଷଣ ପାଇଁ। 


ଚିକିତ୍ସାଳୟେ ବି ଦୁର୍ଘଟଣା ଘଟେ ମୃତ୍ୟୁର ଛାଇ ହୋଇ

ଶ୍ମଶାନ ଭୂଇଁରେ ଗଛଟିଏ ଉଠେ ଜୀବନର ଗୀତ ଗାଇ

ଗଛରୁ ବରଡ଼ା ଖସିଖସି ଆସେ ବୟସ ପାହାଚ ଦେଇ

ନାହିଁ ନାହିଁ ଘୋଷି ଦିନ ସରିଯାଏ ଥିବା ଚିଜ ଯାଏ ରହି। 


ଦିନ ଦ୍ୱିପ୍ରହରେ ହଜିଯାଏ ରାସ୍ତା ମାୟାର ପରସ୍ତ ତଳେ

ଋତୁ ଆସି ଫେରେ ଶ୍ରାବଣ ଆସେନା ଲୁଚେ ଦୂର ପାହାଡ଼ରେ

କେଜାଣି କାହିଁକି ହସୁଛି ମଣିଷ ଲୁହର ନଦୀରେ ଭାସି

ଅପରାଧ ଆଜି ଦେହସୁହା ହେଲା ସଭ୍ୟତା ଚାଦର ତଳେ।


ଘର ଭିତରେ ବି ଖାଇ ଗୋଡ଼ାଏ ନିଃସଙ୍ଗତାର ଭୂତ

ଯନ୍ତ୍ର ଭିତରେ ହଜିଯାଇଛି ଆଜି ସମ୍ପର୍କର ମୂଳତତ୍ତ୍ୱ

ପରାନୁଶୀଳନେ ଦିନ ଯାଏ ବିତି ନିଜ ଘରେ ଲାଗେ ନିଆଁ

ଆତ୍ମଚିନ୍ତା ତେଜି ସ୍ୱାର୍ଥଚିନ୍ତାରେ ସବୁ ଅର୍ଥ ହୁଏ ବ୍ୟର୍ଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍