STORYMIRROR

Kamala Satpathy

Others

4  

Kamala Satpathy

Others

ବୟସ

ବୟସ

2 mins
417


‘ବୟସ ବଢିଲା, ଚାଲ ଏବେ ଯିବା

ଡାକ୍ତର ପାଖକୁ ପ୍ରିୟେ

ରୋଗ ବଇରାଗ ମାଡିବା ପୂର୍ବରୁ

ପରୀକ୍ଷା ଜରୁରୀ ଥାଏ ।

ଚାଳିଶ ବରଷ ଟପିଲେ ବଢଇ

ଆଶଙ୍କା ଶରୀର ପାଇଁ

ଯେତେ ଶୀଘ୍ର ଦେହ ଦେଖେଇ ପାରିବା

ସେତେ ଭଲ ଆମ ପାଇଁ ।

ରକ୍ତଚାପ ଅଟେ ବଡ ଭୟଙ୍କର

କିଏ ବା ନଜାଣେ କୁହ

ନିତି ଯେତେ ଲୁଣ ମସଲା ଖାଉଛ

ରହୁଛି ତାହାର ଭୟ ।

ଶର୍କରା ବେମାରୀ ସବୁ ସୁଖ ଶିରୀ

ଜୀବନୁ ଦିଅଇ ପୋଛି

ଖାଇବା ସଉକି ଥିଲା ବାଲା ଦେହେ

ଏ ରୋଗ ଦେଖାଯାଏଟି !

କୋଲୋଷ୍ଟୋରୋଲ, ହାଇପରଟେନସନ୍

ବଡଲୋକଙ୍କ ବେମାରି

ଖାଇବା ଉପରେ କଣ୍ଟ୍ରୋଲ ନଥିଲେ

ଏ ରୋଗ ଯିବ ବାହାରି ।

ଏମାନଙ୍କୁ ଛାଡି, ପରୀକ୍ଷା କରିଲେ

ଅନ୍ୟ ରୋଗଙ୍କର ସ୍ଥିତି

ଜଣା ପଡିଯିବ ତୁମ ଶରୀରରେ

ସେସବୁ ଅଛି ନଅଛି !

କ୍ୟାନସର୍ କିଡନୀ, ପଥର କି ବାତ

ଯାହା କିଛି ଥାଉ ଦେହେ

ଯଥା ଶୀଘ୍ର ଯାଇ ଚିକିତ୍ସା କରିଲେ

ଆରୋଗ୍ୟ ସମ୍ଭବ ହୁଏ ।

କାଲି ସକାଳରୁ ଚାହା ପାଣି କିଛି

ନ ପିଇବ ପ୍ରିୟତମା

ଆପଏଣ୍ଟମେଣ୍ଟ୍ ଟା ନେଇଯାଇଛି ମୁଁ

ହେଳା ନକରିକି ଜମା ।’

ସକାଳ ପହରୁ ପତିଙ୍କର କଥା

ଦେଲାଣି ବିନ୍ଧେଇ ମୁଣ୍ଡ

ଆଚ୍ଛା କାର୍ଯ୍ୟକ୍ରମ ଦେଖିକି ଟିଭିରେ

ଛାତିରେ ପଶାନ୍ତି ଡର ।

କାମଧନ୍ଦା କିଛି ନାହିଁ ବୋଲି ଖାଲି

ଚିନ୍ତନ୍ତି ସେ ରାତିଦିନେ

କାଶିଲେ, ଛିଙ୍କିଲେ, ଡାକ୍ତର ପାଖରେ

ପହଞ୍ଚନ୍ତି ତତକ୍ଷଣେ !

ଡାକ୍ତରର କଥା ଶୁଣିବାକୁ ତାଙ୍କୁ

କେବେ ଲାଗେନାହିଁ ଭଲ

ଦେଖୁ ଦେଖୁ ଆଗ କହିବେ କମାଅ

ଲୁଣ, ମସଲା ଓ ତେଲ ।

ପାଟିକୁ ତାଙ୍କର ରୁଚେନାହିଁ ଜମା 

ସିଝାସିଝି ତରକାରୀ

ଖାଇବା ଥାଳିରୁ ଉଠିଯାନ୍ତି ରାଗେ

ନଥିଲେ ଖିରୀ କି ପୁରି

ସେଥିପାଇଁ ବଢେ ଓଜନ ବୋଲିକା

କହୁଛି ନିତି ଡାକ୍ତର

ଚାଳିଶ ଟପିବା ପୂର୍ବରୁ ଖାଇବା

ଉପରେ କଣ୍ଟ୍ରୋଲ କର ।

ଯେତେ ସବୁ ହେଲଥ ପ୍ରୋଗ୍ରାମ୍ ଆସୁଛି

ସେସବୁ ଟିଭିରେ ଦେଖି

ଡାକ୍ତର ପାଖକୁ ଯିବା ପାଇଁ ନିତି

ପତ୍ନୀଙ୍କୁ ବାଧ୍ୟ କରନ୍ତି ।

ପତ୍ନୀ କିନ୍ତୁ ତାଙ୍କ ବଡ ହୁସିଆର

ନପୁରାନ୍ତି କଥା କାନେ

ପତିଙ୍କର ସବୁ ଚିନ୍ତାକୁ ଫୁ କରି

ଉଡାନ୍ତି ନିତି ପବନେ ।

‘କାହିଁ ମିଛୁଟାରେ ଭାବନା କରୁଛ

ସେଗୁଡାକ ଦେଖି ଦେଖି

କାହାକୁ ହେଲାଣି ଚାଳିଶ ବର୍ଷ ଯେ

ରୋଗର ଚିନ୍ତା ପଡିଛି !

ଆଉ କିଛି ବର୍ଷ ଖାଇପାରିବି ମୁଁ

ନରଖ ମନରେ ଭୟ

ଚାଳିଶ ଧରିଲେ ଆପେ ଯିବି ଚାଲି

ସେପର୍ଯ୍ୟନ୍ତ ଧର ଥୟ ।

ଏବେ ହି ତ ମୋଟେ ତିରିଶ ଡେଇଁଛି

କାହିଁକି ହୁଅ ଛାନିଆଁ ?

ଖାଇବା ପିଇବା ବୟସରେ ମନେ

ପୁରୋଉଛ ଭୟ କିଆଁ ?

ନାଚ ଗୀତ କାର୍ଯ୍ୟକ୍ରମ ଛାଡି କାହିଁ

ଦେଖୁଛ ସେଗୁଡା ନିତି

ତମର ବୟସ ଯେତେ ହେଉ ପଛେ

ମତେ ହେଇନି ଚାଳିଶି ।

ଯାଇ ପାରିବିନି ଡାକ୍ତରର ପାଖେ

କହିଦଉଛି ମୁଁ ଆଜି

ଘଡି ଘଡି ଆଉ ରୋଗ କଥା କହି

ମନେ ନପୁରାଅ ଭୀତି !’

ହାଁ କରି ବାବୁ ଚାହିଁ ରହିଥିଲେ

କେଡେ ଆଚମ୍ଭୀତ କଥା

ପୁଅ ଟପିଲାଣି ପଚିଶ କେବେଠୁ

ଏଠି ତିରିଶେ ଲାଗିଛି ଅଠା !!

ବାଳ କଳା କରି, ଲେନସ ଲଗେଇ

ବିୟୁଟି ପାର୍ଲର ଯାଇ

ମାଆ ଭଉଣୀଏ ନିଜ ବୟସକୁ

ଦିଅନ୍ତି କାହିଁ ଲୁଚେଇ ?

ମୁଣ୍ଡେ ହାତ ଦେଇ ଭାବନ୍ତି ସେ ବସି

କି ଯୁଗ ହେଲାରେ ବାବା

ମେକଅପ୍ ର ବହଳ ପରସ୍ତ ଭିତରେ

ବୟସ ହଜିଛି କିବା !

ପତ୍ନୀଙ୍କର କଥା ନମାନିକି ଚିନ୍ତା 

କରିଲେ ଆଉ କି ହେବ

ତାଙ୍କୁ ହେବା ଯାଏ ପ୍ରକୃତ ଚାଳିଶି

ଅପେକ୍ଷା ତ କରାଯିବ !

କିଏ ଜାଣେ ସେଇ ଭିତରେ ନିଜକୁ

ନହେବ ଅଶୀ ପଞ୍ଚା’ଶୀ

ତଥାପି ସନ୍ଦେହ ଏ ଜନ୍ମରେ ପତ୍ନୀ

ଟପିଯିବେ କି ସତେ ଚାଳିଶି !!



Rate this content
Log in