ବସଙ୍କ ବାପା ଚାଲିଗଲେ
ବସଙ୍କ ବାପା ଚାଲିଗଲେ
ଭାଙ୍ଗି ଯାଉଛି ନିଦ ଏଣିକି
ହେଲାଣି ବେଶ କିଛିଦିନ
ନିର୍ଦ୍ଧାରିତ ସେଇ ଏକା ସମୟରେ ।
ଅନ୍ତତଃ ମୁହୂର୍ତ୍ତ କେଇଟା ପାଇଁ,
ଖାସ୍ ସେଇ ଅଜଣା ବୁଢାଲୋକ ପାଈଁ
ଚାଲିଯାଏ ନୀତି ଯିଏ ବିଡି ସୁଲୁକେଇ
ସିନ୍ଦୁରା ଫାଟିବା ର ଘଡିଏ ଆଗରୁ।
ତଥାପି ଅନ୍ଧାର ଥାଏ ସହରର ଗଳିକନ୍ଦିରେ,
ପାଚେରୀ ଉପରକୁ ଉଣ୍ଡୁଥିବା ଲଟାରେ ବୁଦାରେ,
ଶୀତରେ କାଠେଇ ଯାଇଥିବା ଗଛ ମାନଙ୍କରେ-
ବେ।ଳିହେଇ ମେଞ୍ଚାମେଞ୍ଚା କୁହୁଡି ସାଙ୍ଗରେ।
ଜାକି ଜୁକି ଶୋଇଥିବା ବୁଲା କୁକୁର ମାନେ
ଅର୍ଦ୍ଧ ନିଦ୍ରିତ ଥା'ନ୍ତି,ଦେହରୁ ଝାଡି ନ ଥାନ୍ତି ଧୁଳି।
ଶୁଭେ ଠିକ୍ ସେଇ ସମୟରେ
ଗୋଇଠିତଳ ଘୋରିହେଇ ଯାଇଥିବା
ଛିଣ୍ଡା ଚପଲ ହଳେ ଆବଡା ଖାବଡା ପାଦ ସହ
ପଟପଟ୍ ପିଟି ହେବାର କ୍ରମାଗତ ଶବ୍ଦ,
ଚୁତାଧରି କାନ୍ଥରେ କଣ୍ଟା ପିଟିଲେ ଯେପରି
ଶବ୍ଦ ସୃଷ୍ଟି ହୁଏ।
ମଝିରେ ଠକ ଠକ୍ ଆବାଜ୍
ଦାସ୍ କାଠିଆର ତାଳ ପରି ବାରି ହେଇପଡେ।
ଶ୍ରୁତିସୀମା ପାର ହେବା ପର ମୁହୂର୍ତ୍ତରେ
ଆଖିକୁ ଆବୋରି ନିଏ ପୁଣିଥରେ ପାହାନ୍ତିଆ ନିଦ।
"ନଅଟା ହେଲାଣି ,ଉଠିବ ନାହିଁକି ....."
ଧଡକରି ଉଠିବସେ ବାସିବିଛଣାରେ,
ନିଜକୁ ଖୋଜିନିଏ
ଚା'କପରୁ ଉଠୁଥିବା ବାମ୍ଫରେ-ବାସ୍ନାରେ।
ଭାବେ; ଲୋକଟା ପହଁଚି ଯିବଣି ନିଶ୍ଚେ
ସହରର ଶେଷମୁଣ୍ଡରେ କାହିଁ କେତେବେଳୁ,
ଆଉ,ଗତକାଲି ବାକି ଥିବା କାମ ଯାକ ସାରି
ହାତ ନିଶ୍ଚେ ଦେଇ ସାରିବଣି ଆଜିର କାମରେ।
ଭାବିଲେ ଆଶ୍ଚର୍ଯ୍ୟ ଲାଗେ -
କୋଉଦିନ ଫେରେନା ଘରକୁ ସେ
କଲୋନୀରେ ମୋ ଭିନ୍ନ ଜଣେ ହେଲେ
ଆଉ କେହି ଚାହଁଥିବା ବେଳେ !
ନିକଟରୁ ଲୋକଟାକୁ ଥରୁଟିଏ ନ ଦେଖି
କିଛି ହେଲେ କିଛି ବି ନଜାଣି ତା ବାବଦରେ
ତାକୁ ନେଇ କାହିଁକି ମୁଁ ଏତେ ବେଶି ଭାବେ !!
ଦୟା ଆସେ ତା'ଉପରେ ଅଧିକାଂଶ ଦିନ,
ଇର୍ଷା ବି ହୁଏ କେବେକେବେ
ଯେହେତୁ ସେ ମୋଠାରୁ ଡେରିରେ ଶୁଏ
ଅଥଚ,ସବୁଦିନ ଉଠିଯାଏ କାନ୍ଥ ଘଣ୍ଟା କଣ୍ଟାପରି
ନିର୍ଦ୍ଦଷ୍ଟ ଗୋଟେ ସମୟରେ।
ଧିରେଧିରେ କେମିତି କେଜାଣି
ଅନ୍ତରଙ୍ଗ ହେଇ ଯାଉଥିଲି
ବୁଢ଼ାର ସେ ଅଦେଖା ଚେହେରା ସହ
ଅଜ୍ଞାତରେ ନିଜ ଅଗୋଚରେ।
ଆଜିବି ଭାଙ୍ଗିଥିଲା ନିଦ ପାହାନ୍ତି ପ୍ରହରେ,
କାନ ମଧ୍ୟ ପାରିଥିଲି ସବୁଦିନ ପରି
ପ୍ରତିକ୍ଷାରେ ବିତି ଥିଲା ଘଡିଏ ଦି'ଘଡି
ଶୁଭି ନ ଥିଲା କିନ୍ତୁ
ଚିହ୍ନା ସେଇ ଚପଲର ପଟ୍ ପଟ୍ ଶବ୍ଦ ,
ପବନରେ ଭାସି ଆସି ନ ଥିଲା କାହିଁ
ଖୁବ ଚିହ୍ନା ପୋଡାବିଡି ଗନ୍ଧ !
ଲାଗିଲା, ଅଯଥାରେ ଭାବୁଥିଲି
ବେଶି ବେଶି ବୋଧେ ବୁଢା ବାବଦରେ;
ହେଲାନାହିଁ ଜମା ଆଉ ପାହାଁନ୍ତିଆ ନିଦ।
ଖବର କାଗଜ ପୃଷ୍ଠାରୁ
ଚିଲ ଭଳି ଆଖିଟା ବୁଲାଇ ଆଣି
ସାର୍ଟର ବୋତାମ ଦେଲାବେଳେ
ଭାବୁଥିଲି;
"ଖାସ୍ ମୁଁ'ବି ଉଠି ପାରନ୍ତିକି ପ୍ରତ୍ୟହ
ଠିକ୍ ସେଇ ବୁଢା ପରି ଦିଘଡି ଆଗରୁ !
କେତେ ଦୀର୍ଘ ହେଇ ଯା'ନ୍ତା ଦିନ ଆଉ
କେତେ ବେଶି ହନ୍ତସନ୍ତ ହେଉଥାନ୍ତେ
ମୋ'ପରି ନିଦ କାଉଳିଆ ମାନେ !!"
ଏତେବର୍ଷ ଚାକିରି କାଳରେ ଆଜିହିଁ ପ୍ରଥମଥର
ଅଫିସରେ ପହଁଚିଲି ଦଶଟା ପୂର୍ବରୁ।
ଅଫିସ୍ କିନ୍ତୁ ପୁରାପୁରି ଚୁପଚାପ୍ ଥିଲା,
କେହି କିଛି କରୁନଥିଲେ ଆଜି,
କୁହାକୁହି ହେଉଥିଲେ ,
" ମର୍ଣିଂୱାକରୁ ଫେରିବା ବାଟରେ
ପଡିଗଲେ ରାସ୍ତାରେ କେମିତି କେଜାଣି,
ବହୁ ସେବା ଓ ଚିକିତ୍ସା ସତ୍ୱେ ବି
ବସ୍ ଙ୍କ ବାପା ଚାଲିଗଲେ" ।
ଭାବୁଥିଲି, "ବସ୍ ଙ୍କ ବାପା ଚାଲିଗଲେ !
ବୁଢାଟା ବି ଚାଲିଗଲା ଚିରଦିନ ପାଇଁ
ତାଙ୍କରି ଭିତରେ ସମାହିତ ହୋଇ!!
ଚାଲିଗଲା ବୁଢା- ତରିଗଲା ନିଶ୍ଚେ
ଏକ ଅଲୋଡ଼ା ଜୀବନରୁ ।
ମାତ୍ର,ସାଙ୍ଗରେ ବି ନେଇଗଲା
ମୋ ପାହାନ୍ତିଆ ନିଦ !!!
(ମୋ'ର ଗୋଟେ ଗଳ୍ପର କାବ୍ୟ ରୂପାନ୍ତର)
◇◇◇◇■◇◇◇◇
ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ )
ଏସ୍ -୫/୩୪୨,ନିଳାଦ୍ରି ବିହାର,ଭୂବନେଶ୍ୱର
ମୋ: ୯୪୩୮୬୭୦୧୨୦/୯୯୩୭୫୪୮୪୩୧
ରଚନ:15/10/2017