ବଞ୍ଚିବା ପାଇଁ
ବଞ୍ଚିବା ପାଇଁ
ଚଉଦିଗେ ଉଚ୍ଚ ଅଟ୍ଟାଳିକା ଦିଶେ
ଘରଟିଏ ଦିଶେ ନାହିଁ
ଜନ ସଂଖ୍ୟା ସିନା ବଢି ଚାଲିଅଛି
ମଣିଷଟେ ମିଳେ ନାହିଁ।
ଦାମୀ ପୋଷାକରେ ଆଚ୍ଛାଦିତ ହୋଇ
ନିଜକୁ କେତେ ସଜାଉ
ମନ ଭିତରେ ଯେ ଅସଂଖ୍ୟ ବିକାର
ସାଧନ୍ତି ଜୀବନେ ଦାଉ।
ଗମନାଗମନ ପାଇଁ ସବୁଆଡେ
ଦିଶୁଥାଏ ରାଜପଥ
ମଣିଷ ଆଜି ସୁପଥ ଭୁଲିଛି
ବାଛି ନେଇଛି କୁପଥ।
ଅସଂଖ୍ୟ ମନ୍ଦିର ଗଢି ଉଠୁଅଛି
ଚାକଚକ୍ୟ ସାଜସଜ୍ଜା
ଅନ୍ତର ମନ୍ଦିରେ ଅନ୍ତର ଦେବତା
ରହିଛନ୍ତି ସେ ଅପୂଜା।
ନକଲି ହସରେ ଅଧର ସଜାଇ
ଆଖି କୋଣେ ଲୁହ ମରେ
ଜୀବନ ପାଲଟେ ମିଛ ଅଭିନୟ
ନକଲି ଆକାଶ ତଳେ।
ବଞ୍ଚିବା ପାଇଁକି ଦିନ ରାତି ଆମେ
କେତେ ଯେ ସଂଗ୍ରାମ କରୁ
କେମିତି ବଞ୍ଚିଛୁ ବୁଝି ତ ହୁଏନା
ପ୍ରତି କ୍ଷଣ ଆମେ ମରୁ।