ବନିତା
ବନିତା
ପଙ୍କଜିନୀ ଉପାଧ୍ଯାୟ
~~~
ଅରଙ୍ଗାବାଦ
~~~
ମୋ ଘର ଆଗେ
ପକ୍କା କାନ୍ଥର କଡରେ
ପୋଦିନା ମାଡିଛି
ମାଡିଛି ତାଲକୁଡି
ଚିରେଇତା ଗୁଳ୍ମ
ମଲ୍ଲୀବି ଚଇତର ଅପେକ୍ଷାରେ
ସଦାବିହାରୀ ଗଛରେ
ରଙ୍ଗୀନ ରଙ୍ଗୀନ୍ ଫୁଲ
ତୁଳସୀର ଝୋବା
କ୍ରୋଟନର କଅଁଳ କେନା
ଆହୁରି କେତେ ଯେ ଅନାବନା
ସ୍ବିକୃତିପ୍ରାପ୍ତ ଗଛ ଲତାମାନ।
ଆହୁରି ଫଟା କାନ୍ଥରେ
ବର ଅଶ୍ବସ୍ତ କଦମ୍ବର
ଛୋଟଛୋଟ ଗଛ
ଆଉ କିଛି ମାଡିବାର ଆଶ୍ରା ନ ପାଇ
ତଳେ ମାଡିଯାଆନ୍ତି
ଦଳାଚକଟା ଖାଆନ୍ତି ।
ପକ୍ଷୀ ବସା ବାନ୍ଧେ
ପଶୁ ଆଶ୍ରା ନିଏ
ଅଧିକାର ଅନଧିକାରର
ଗୁଞ୍ଜରଣ ଭିତରେ
ଦୈନନ୍ଦିନ ଧାରାରେ
ଜୀବନ ବହେ
ଜିଇବା ହୁଏ।
ଅତ୍ଯାଚାର ହତାଦର
ଜିତିବା ହାରିବା ଖେଳ ଚାଲେ
ସମ୍ପର୍କର ଚଉହଦିରେ
ଅଭ୍ଯାସର ଦାସ ପାଲଟେ
ସ୍ୱତନ୍ତ୍ରତା ନେଇ ।
ହାରି ହାରି ଜିତିଯାଏ
ସ୍ବପ୍ନମନା ମନଟି
ସ୍ବପ୍ନ ସାଉଁଣ୍ଟେ
ଆଶାର ହିମାଳୟ ତୋଳେ।
ବିନା ଆଶ୍ରେ ନ ବର୍ତ୍ତନ୍ତି
କବିତା ବନିତା ଲତା
କବି ସମ୍ରାଟଙ୍କ ସ୍ବର
ସମସ୍ତଙ୍କ କଣ୍ଠରେ ନିନାଦ କରେ
ବନିତା ପୁରୁଷର ଆଶ୍ରୟରେ
ଲତାର ବିଭିନ୍ନ ଆଶ୍ରୟ
ଷେଣ୍ଢା ଟେକିପାରେନା
ତଳେ ଲୋଟେଇଯାଏ।
ବନିତା
ପେଷିହେବ
ଶୋଷି ହେବ
ତ୍ଯାଗ ସହିଷ୍ଣୁତାର ଗୁଣ ଗାଇବ
ନିରାପଦ ତାର କିଛି ନୁହେଁ
ଦେହ ଦାହର ଯନ୍ତ୍ରଣାରେ
ଓଠରେ ହସ
ଅଙ୍ଗ ପ୍ରତ୍ଯଙ୍ଗରେ କତ୍ତୃତ୍ବ
ହୃଦୟର ଡାକ ତାର ନୀରବ ପିକ
ଯନ୍ତ୍ରଣାର ଜତୁଗୃହେ ଜଳିବ
ତରଳିବ।
ପ୍ରତି ମୁହୂର୍ତ୍ତର ସଂଗ୍ରାମ
ତାର ତାର କିଛି ନୁହେଁ
ନୀରବ ଦ୍ରଷ୍ଟା
ନୀରବ ସ୍ରଷ୍ଟା
ନିଭେଇବ ଭରିବ ବଢେଇବ
ସମ୍ପର୍କର ସବୁ ସୀମାକୁ।
ମୋହ ମାୟା କୋହ
ଭିତରେ ଢାଳିବ ଲୁହ
ଅଜାଣତରେ ଲୁଗା କାନିରେ
ଲୀଳା ବେଳା ମଉଳା
କ୍ଷେତ୍ର ଚିତ୍ର ବିଚିତ୍ର
ସବୁର ସାଜିବ ମିତ୍ର।
ମାତୃତ୍ବର
ମମତା ନାମରେ ନାମିତ
ସର୍ବଂସହା ଧରିତ୍ରୀ ସେ
ବାରମ୍ବାର ସତୀତ୍ବର
ଅଗ୍ନି ପରୀକ୍ଷାର ସାମନା କରିବ।
ପ୍ରତି ମୁହୂର୍ତ୍ତରେ
ଜ୍ବଳନର ଯନ୍ତ୍ରଣା
ବିନା ଜ୍ବାଳାରେ
କାହାର ଜ୍ବାଳାର ପରିଣାମ।
ଜନ୍ମର ସମୟରୁ
ମୃତ୍ୟୁର ମୁହୂର୍ତ୍ତ ଯାଏ
ଦୁଃଖ ସହ ମିତ୍ରତା
ସେଥିରେ ପୂର୍ଣ୍ଣତା
ନୀରବ ଅଭିଯାନ
ଲୁହ ଲହୁ ବଦଳରେ।
ଜୀବନ
ନିଦାଘର ଝଞ୍ଜା
ବର୍ଷାର ତାଣ୍ଡବ
ଶୀତାର୍ତ୍ତର ଯନ୍ତ୍ରଣା
ବସନ୍ତର ବାତ ନାହିଁ
ସ୍ବପ୍ନର ସୌଧ ନାହିଁ।
ବାହିଦିଏ ନଈ
ସବୁ ଯନ୍ତ୍ରଣାକୁ ପିଇ
ସମସ୍ତଙ୍କ ଭୋଗ ତାର ତ୍ଯାଗ
ସମସ୍ତେ ସନ୍ତୋଷ ଭୋଜନ
ସିଏ ବୁଭୁକ୍ଷୁର ଜୀବନ।
ବଦଳା ସମୟ
ବିଚିତ୍ର ଚେତନାର ବିରୋଧ
ବହୁଛି ପରିବର୍ତ୍ତନର ଝଞ୍ଜା
ଅଧିକାରର ନିବେଦନ ପାଇଁ
ସମୟର ତାଣ୍ଡବ
ଭିନ୍ନତାର ବିରୋଧରେ।
ବଦଳାଅ
ବଦଳାଅ ପୌରୁଷ ମାନସିକତା
ସଜାଡ ଅଜାଡ
ମମତାର ଡୋର ଦୃଢ କର
ବୁଡ , ଯୋଡ
ପ୍ରେମ ସ୍ନେହର ମିଳିତ
ବାତାବରଣରେ
ଶୋଭାରେ ଗଭା ମଣ୍ଡାଅ
ସୌରଭରେ ସୁରଭିତ କର
ସୌନ୍ଦର୍ଯ୍ୟର ସୁଷମା ବହୁଗୁଣିତ କର
ପ୍ରୋତ୍ସାହିତ କର
ଉତ୍ସାହିତ କର
ରଙ୍ଗେଇ ଦିଅ
ଲଗେଇ ଦିଅ
ବାସ୍ ବନିତା ସଜାଡି ଦେବ
ତୁମ ଦୁନିଆ
ଆପଣା ମହକରେ
ବହୁଗୁଣିତ କରି।