ବନ୍ଧୁତା
ବନ୍ଧୁତା
ବନ୍ଧୁତା ଅଟଇ ଏପରି ଶବ୍ଦ,
ଅତି ଭଲଲାଗେ ଜାଣିଲେ ଭେଦ,
ନଜାଣି ପାରିଲେ ତିକ୍ତତା ସୃଷ୍ଟି,
ନିନ୍ଦା ଅପବାଦ ହୁଅଇ ବୃଷ୍ଟି l
ବନ୍ଧୁତା ରଚିଲେ ସୁଗ୍ରୀବ ରାମ,
ନାଶକରିଦେଲେ ରାବଣ ଧାମ,
ରାମ ରଖିଥିଲେ ସୁଗ୍ରୀବ ମାନ,
ମିତ୍ର ମିତ୍ର ଭାବ ଜାଣିଣ ମନ l
କୃଷ୍ଣାର୍ଜୁନ ସଖା ହେଲେ ଦ୍ଵାପରେ,
ପୁଣି ମିଳିଗଲେ ବନ୍ଧୁ ରୂପରେ,
ଧ୍ବଂସ କରିଦେଲେ କୌରବ କୁଳ,
ବନ୍ଧୁତା ନିକଟେ ନାହିଁତ ବଳ l
ଶ୍ରୀକୃଷ୍ଣ ସୁଦାମା ବନ୍ଧୁତା ଦେଖ,
ଏକେ ରାଜଭୋଗ ଆରକେ ଦୁଃଖ,
ଶେଷରେ ଠାକୁରେ ଦୟା କରିଲେ,
ସଖାଙ୍କର ଦୁଃଖ ହରଣ କଲେ l
ଏସବୁ ଭାବରୁ ବନ୍ଧୁତା ବୁଝି,
ପରସ୍ପରସହ କେବେ ନଯୁଝି,
ବିପଦେ ସମ୍ପଦେ ବା ରାଜଦ୍ୱାରେ,
ଦୁର୍ଭିକ୍ଷ ବିପ୍ଳବ କି ଶ୍ମଶାନରେ l
ପ୍ରକୃତ ବନ୍ଧୁଟି ଛାଡେନା ସଙ୍ଗ,
ଧରିଥାଏ ସଦା କର୍ମର ମଙ୍ଗ,
ଛାଇପରି ଥାଏ ସଦା ନିକଟେ,
ଭୋଜି ଭାତ ହେଉ ଅବା ଶଙ୍କଟେ l