ବନ୍ଧୁତା ନୁହେଁ
ବନ୍ଧୁତା ନୁହେଁ
ତୁ ବାନ୍ଧବୀ ନା ଭଗ୍ନୀ !!
କୋଉ ଜନ୍ମର ସାରଥୀ !!
ଏ ବିଷୟଟି ତର୍କ ଠାରୁ ଖୁବ ଉର୍ଦ୍ଧରେ ।
କୈଫିୟତ ଦେବା ଆମ ଇଚ୍ଛା ବିରୁଦ୍ଧ ।
ଜୀବନର ମଧ୍ୟାନ୍ନ ଦ୍ବିପ୍ରହରରେ ଫିକା ପଡିନି ଆମ ଅମାୟିକ ମନ ।
ଆଶା , ନିରାଶା , ଈର୍ଷ୍ୟା , ଅଭିଯୋଗର ଛାଇ ପଡିନି ଆମ ସମ୍ପର୍କରେ ।
କାହା ପାଇଁ ମନରେ କିଛି କ୍ଳେଶ ବି ନାହିଁ ।
ଛୋଟ ବଡ ସମସ୍ତ ପରୀକ୍ଷାରେ ଆମେ ଆଜି ଯାଏ ଉତ୍ତୀର୍ଣ୍ଣ
ପଚିଶ ବର୍ଷର ବନ୍ଧୁତାର ଏକ ଅନାବିଳ ପରାକାଷ୍ଠା ଆମେ।
ଆନ୍ତରିକ ବୁଝାମଣାର ସ୍ୱତନ୍ତ୍ର ଉଦାହରଣ ।
ମୋତେ ଘଣ୍ଟ ଘୋଡେଇ ରଖିବାରେ ତୋର ଆନନ୍ଦ ।
ତୋତେ ଖିସିରେ ଦେଖିଲେ ମୁଁ ବିଭୋର ।
ଦୂରତ୍ୱର ତିକ୍ତ ସାଗରରେ ବିଲୀନ ହେଇଯାଏ କେତେ କେତେ ମନ।
କିନ୍ତୁ ଏତେ ବର୍ଷର ତୋର ବିଦେଶ ରହଣୀ ଭିତରେ , ଆମ ସ୍ନେହରେ ଲୀନ ହେଇ ଯାଇଛି ଦୂରତ୍ୱର ସମସ୍ତ ମାନ ।
ଆମ ଭିତରେ ବାର୍ତ୍ତାର ନୁହେଁ, ଆଜିଯାଏ ହେଇଛି କେବଳ ଆତ୍ମାର ଆଦାନ ପ୍ରଦାନ ।
ଜୀବନର ଅହଂରହିତ ସାଗରରେ ଭାସିଯାଉ ଯାଉ ଆମେ ସମ୍ପର୍କର ଏମିତି ଏକ କୂଳରେ ଲାଖି ରହିଛୁ ,
ଯେଉଁଠି ମୋ ଅନ୍ତର କଥା ତୋତେ କହିବା ଯେତିକି ସହଜ ହୁଏ , ନିଜକୁ ନିଜ କଥା କହିବା ତା ଠାରୁ ଅନେକ କଠିନ ।
ମୁଁ କହିବା ଆଗରୁ ମୋତେ ତୁ ବୁଝିଯିବା , ତୁ କହିବା ଆଗରୁ ତୋତେ ମୁଁ ବୁଝିଯିବା ---- ବନ୍ଧୁତା ନୁହେଁ ଲୋ , ଏହା ଈଶ୍ୱରଙ୍କର ଆଶୀର୍ବାଦ ।
