STORYMIRROR

NIBEDITA MOHAPATRA

Others

4  

NIBEDITA MOHAPATRA

Others

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
465


ବ୍ରହ୍ମଚର୍ଯ୍ୟ ବ୍ରତକୁ କରି ଧାରଣ

ସ୍ଥିତପ୍ରଜ୍ଞ ହୋଇଯାଅ

ମୂଲ୍ୟବାନ ଏଇ ବିଦ୍ୟାର୍ଥୀ ଜୀବନ

ଏକଥା ଭୁଲି ନ ଯାଅ।


କାକ ପରି ସ୍ନାନ ବକ ସମ ଧ୍ୟାନ

ଶ୍ୱାନ ନିଦ୍ରା ଆଦି ଗୁଣ

ଅଳ୍ପାହାରୀ ଗୃହତ୍ୟାଗୀ ଯେ ହୋଇବା

ବିଦ୍ୟାର୍ଥୀ ପଞ୍ଚ ଲକ୍ଷଣ।


ସେ ଗୁଣକୁ କରି ନିଜ ଆଭୂଷଣ

ମନୋବଳ ବୃଦ୍ଧି କର

ସଂଯମତା ବଳେ ପଞ୍ଚ ଇନ୍ଦ୍ରିୟଙ୍କୁ

କରିନିଅ ଆପଣାର।


ଏକଲବ୍ୟ,ଉପମନ୍ୟୁ,ଆରୁଣିର

ଗୁରୁ ଭକ୍ତି କଥା ଶୁଣ

ଲକ୍ଷ୍ୟ ପଥେ ଅଟଳ ରହିବା ମନ୍ତ୍ର

ନଚିକେତା ଠାରୁ ଜାଣ।


ଗୁରୁଙ୍କୁ ମଣି ଈଶ୍ଵର ପ୍ରତିନିଧି

ଚରଣରେ ଲୟ ରଖ

ଏକାଗ୍ରତା ଭାବେ ବିଦ୍ୟା ଅଧ୍ୟୟନେ

ତଲ୍ଲୀନ ହୋଇବା ଶିଖ।


ଅନୁଶାସନର ଶକ୍ତ ରଜ୍ଜୁ ପରା

ତୁମ ପାଇଁ ସର୍ବୋତ୍ତମ

ସେ ରଜ୍ଜୁରେ ବାନ୍ଧି ମନ ବଚନକୁ

କର ସଦା ନିଜ କାମ।


ଗୁରୁଙ୍କ ବାକ୍ୟକୁ ମାନି ଆପ୍ତ ବାକ୍ୟ

ହୃଦେ ସଦା ହେଜୁଥିବ

ଆଦେଶକୁ ତାଙ୍କ ଆଶିଷ ମଣିଲେ

ବିପତ୍ତି ଯେ ନ ଆସିବ।


ଅଜ୍ଞାନ ଅନ୍ଧାର ଦୂରିଭୂତ କରି

ଜ୍ଞାନ ଦୀପ ଜାଳି ଦେଲେ

ସଂସାର ପଥେ ଅଗ୍ରସର ହେବାକୁ

କଷ୍ଟ ନ ଲାଗିବ ଭଲେ।


ରସନା, ବାସନା, ସୂକ୍ଷ୍ମ ଉନ୍ମାଦନା

ଲୋଭର ଆବେଶ ତେଜି

ଏକନିଷ୍ଠ ସାଧନାରେ ବ୍ରତୀ ହୋଇ

ରୁହ ସେ ସନ୍ନ୍ୟାସୀ ସାଜି।


ବିଦ୍ୟା ମହାଧନ ଏଇ ଜଗତରେ

କଲେ ତାକୁ ଅରଜନ

ଅକ୍ଲେଶରେ ଜିତି ପାରିବ ଧରିତ୍ରୀ

ଏ କଥା ନୁହଁଇ ଆନ।


Rate this content
Log in