STORYMIRROR

Umasankar Sahu

Others

3  

Umasankar Sahu

Others

ଭସା ବାଦଲର ଛାଇ

ଭସା ବାଦଲର ଛାଇ

1 min
488


ତୁମେ ଧାରାଶିରାବଣ ମେଘୁଆଆକାଶେ

ଭସା ବାଦଲର ଛାଇ

ମୁଁ ଅଙ୍କାବଙ୍କା ଏକ ନଈ

ସ୍ଥାବର ଜଙ୍ଘମ ଲଙ୍ଘିଯାଏ ଯେତେ

ବହି ଚାଲିଥାଏ ପର୍ବତ ଶିଖରୁ

ସିନ୍ଧୁ ଛୁଇଁବା ପାଇଁ

ଅନୁଭବ କରେ ସବୁଠି ତୁମକୁ

କେତେ ଚେଷ୍ଟାକରେ ଥରେ ମିଶିବାକୁ

ସବୁଥର କିନ୍ତୁ ଜିତିଯାଅ ତୁମେ

ପରାଜିତ ହୁଏ ମୁହିଁ

ମୁଁ ଅଙ୍କାବଙ୍କା ଏକ ନଈ ।।


କେବେ ତୁମେ ସାଜ ଇନ୍ଦ୍ରଧନୁ

ଗଗନ ବଳୟେ ଥାଇ

ବିମୋହିତ କର ମହି,

ଯେବେ ଜହ୍ନପୋଖର ପୁନେଇଁ ରାତିରେ

ଜୁଆର ଉଠେ ମୋ କୁଆଁରୀ ଛାତିରେ

ତୁମରି ପରଶ ପାଇଁ

ଆଖିପିଛୁଳାକେ କାହିଁ ହଜିଯାଅ

ଶରଦ ସଞ୍ଜରେ ଭ୍ରମ ଉପୁଜାଅ

ଛାତିର ତାତିକୁ ରାତିରେ ହଜେଇ

ମୁଁ କାନ୍ଦୁଥାଏ କଇଁକଇଁ

ମୁଁ ଅଙ୍କାବଙ୍କା ଏକ ନଈ ।।


କୋଟି ପିପାଶୁଙ୍କ ଆଶ୍ରା ହେଇ ମୁଁ

ତୃଷ୍ଣା ମୋ ମେଣ୍ଟେ ନାହିଁ

ତୁମ ମରୀଚିକା ରୂପ ପାଇଁ

ଅଧରର ମଧୁ ଚୁମ୍ବନକୁ ଝୁରି

ମୁଁ କେବେ ବହେ କ୍ଷୀପ୍ର କେବେ ଥିରିଥିରି

ତୁମ ପୀରତିରେ ବାଇ

ଆଲିଙ୍ଗନର ଆସନ୍ନ ବିଚ୍ଛେଦେ

ନୟନ ମୋର ରୁଧିର କାନ୍ଦେ

କେତେ ଆଶା ପୁଣି ଅଧା ରହିଯାଏ

କହି କି ପାରିବି ମୁହିଁ

ତୁମେ ଧାରାଶିରାବଣ ମେଘୁଆଆକାଶେ

ଭସା ବାଦଲର ଛାଇ

ମୁଁ ଅଙ୍କାବଙ୍କା ଏକ ନଈ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍