STORYMIRROR

Kulamani Sarangi

Others

2  

Kulamani Sarangi

Others

ବହ୍ନିକନ୍ୟା (୨୦)

ବହ୍ନିକନ୍ୟା (୨୦)

2 mins
3.0K


ବହ୍ନିକନ୍ୟା

.....୨୦...

ଦ୍ରୁପଦଙ୍କ ଆଶଂକା

********************************************

ସ୍ଵୟମ୍ବର ଆୟୋଜନ କରି ଦ୍ରୌପଦୀଙ୍କ ପାଇଁ ଶ୍ରେଷ୍ଠ ଜାମାତା ବରଣ କରିବାକୁ ଶ୍ରୀକୃଷ୍ଣ ଯେଉଁ ପ୍ରସ୍ତାବ ଦେଲେ ତାହା ଦ୍ରୁପଦଙ୍କ ମନକୁ ବେଶ୍ ପାଇଲା। ଏହାଦ୍ବାରା ପାଞ୍ଚାଳର ଗୌରବ ଯେ ବୃଦ୍ଧି ହେବ ଏଥିରେ ସନ୍ଦେହ ନାହିଁ।ବଡ଼ ବଡ଼ ରଥି ମହାରଥି ମାନଙ୍କର ପାଞ୍ଚାଳରେ ଏକତ୍ରୀକରଣ ନିଶ୍ଚିତ ଭାବରେ ତାଙ୍କ ରାଜ୍ୟର ମାନ ମର୍ଯ୍ୟାଦା ଆର୍ଯ୍ୟାବର୍ତ୍ତରେ ବୃଦ୍ଧି କରିବ।

କିନ୍ତୁ ଜରାସନ୍ଧର ପ୍ରସ୍ତାବ ପ୍ରତ୍ୟାଖ୍ୟାନ ପରେ ଯେଉଁ ବିଷମ ପରିସ୍ଥିତି ସୃଷ୍ଟି ହେବ,ତାର ସମ୍ମୁଖୀନ ହେବାପାଇଁ ସେ ନିଶ୍ଚିତ ଭାବରେ ଯଦୁପତିଙ୍କର ସମର୍ଥନ ଆଶା କରୁଥିଲେ।

********************************************


ମନରେ ଆଶଂକା ଭରି ଦ୍ରୁପଦ ରାଜନ,

ବୋଇଲେ "ହେ ଧୀର ! ଜରାସନ୍ଧ ବଡ ହୀନ।

ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ତାର,

ଆୟୋଜନ କରିଲେ ମୁଁ ଜେମା ସ୍ବୟମ୍ବର 

କ୍ରୋଧେ ଅନ୍ଧ ହୋଇ ଜରାସନ୍ଧ ପାଞ୍ଚାଳକୁ,

କରିପାରେ ଆକ୍ରମଣ କନ୍ୟା ହରିବାକୁ।

ଏମନ୍ତ ପରିସ୍ଥିତିରେ ଆହେ ବାସୁଦେବ,

ପାଞ୍ଚାଳର ସହାୟତା କିଏସେ କରିବ?"


ଗୋବିନ୍ଦ ବୋଇଲେ "ତାର ଭାଗ୍ୟ ହେଲେ ମନ୍ଦ,

ହରଣ ପ୍ରୟାସ କରିବଟି ଦୁରାକନ୍ଦ।

ବହୁଦିନ ହସ୍ତେ ମୋର ରହିଲାଣି ମୌନ,

ମୋ ଆଦେଶ ଅପେକ୍ଷାରେ ଚକ୍ର ସୁଦର୍ଶନ।

କମ୍ପିବ ବିଶ୍ବ ଶାରଙ୍ଗ ଧନୁ ଟଙ୍କାରରେ,

କୌମୁଦକି ଗଦାଘାତେ ଯିବ ଯମପୁରେ।

କାନ୍ଧକୁ ଯେବେ ତାହାର ମୁଣ୍ଡ ହେବ ଭାରି,

କନ୍ୟା ଚୋରି କରିବ ସେ ଆହେ ଦଣ୍ଡଧାରୀ।

ଅତି ଭୟଙ୍କର ନାରାୟଣୀ ସେନା ମମ,

ଜରାସନ୍ଧ ଉଡିଯିବ ତୁଚ୍ଛ ତୁଳା ସମ।"


ହୃଷ୍ଟ ହେଲେ ଏହାଶୁଣି ଦ୍ରୁପଦ ରାଜନ,

ପୁଣି ବୋଇଲେ "ଆଶଂକା ଦିଏ ଦୁର୍ଯ୍ୟୋଧନ।

କନ୍ୟା ହରଣ କୁରୁଙ୍କ ଅଟେ ବଂଶଗତ,

କାଶୀ ରାଜନନ୍ଦିନୀଙ୍କୁ ହରି ଗଙ୍ଗା ପୁତ୍ର-

ବିଚିତ୍ର ବିର୍ଯ୍ୟଙ୍କ ହସ୍ତେ ଦାନ କଲେ ଦିନେ,

ଆଜି ସେହି ଇଚ୍ଛା ଯେବେ ଆସେ ଭୀଷ୍ମମନେ,

ଦୁର୍ଯ୍ୟୋଧନ ପାଇଁ ମୋର କନ୍ୟାକୁ ହରିବେ,

ଦ୍ରୋଣ,କର୍ଣ୍ଣ,ଅଶ୍ବତ୍ଥାମା ସହାୟକ ହେବେ। 

ସେଠାରେ ସହାୟ ମୋର ହେବକି ମାଧବ,?

କୌରବେ ଅଟନ୍ତି ପରା ତୁମ୍ଭର ବାନ୍ଧବ।"


ବାସୁଦେବ ବୋଇଲେ "ହେ ଚିନ୍ତା କରନାହିଁ,

ସ୍ବୟଂବର ବିଧି ଯେବେ ନମାନିବେ ସେହି,

ମୋତେ ଜଣା କେଉଁପରି ଧରିବେ ସେ ବାଟ,

ମୋ କଥା ଅନ୍ୟଥା ନକରିବେ ଗଙ୍ଗାଚାଟ।"


ଅଳପ ହସି କହନ୍ତି ଦ୍ରୁପଦ ରାଜନ,

"ତୁମ୍ଭେ ତ କନ୍ୟା ହରଣେ ସିଦ୍ଧ ଜନାର୍ଦ୍ଦନ।

ଯେବେ ହରି ହରି କନ୍ୟା ବିବାହ କରିବ,

ଯାଜ୍ଞସେନୀ ମନବାଞ୍ଛା ପୂର୍ଣ୍ଣ ହୋଇଯିବ।"


ଶୁଣି ଏ ଶ୍ଲେଷ ବଚନ ହସିଲେ ଗୋବିନ୍ଦ,

ହସ ଛଳେ ଉଇଁଲା କି ନଭେ ପୂର୍ଣ୍ଣ ଚାନ୍ଦ!

ଭାବିଲେ "ସତ୍ୟ ବଚନ କହନ୍ତି ରାଜନ,

କନ୍ୟା ଚୋରି ନୁହେଁ, ମୁହିଁ ଚୋରିକରେ ମନ।

କିନ୍ତୁ ଦ୍ରୌପଦୀର ଜନ୍ମ ବିଧିର ବିଧାନ,

ଦୁଷ୍ଟ ନିବାରଣ ଅର୍ଥେ ଯାଜ୍ଞସେନୀ ଜନ୍ମ।

ନାରୀ ଶକ୍ତି ଚମତ୍କାରା, ଅବଗତ ମୁହିଁ,

ମୋହିନୀ ବେଶେ ଅମୃତ ଥିଲି ଯା ଚୋରାଇ।


ସାଧୁଙ୍କୁ ଦିଏ ଅମୃତ,ଦୁଷ୍କୃତଙ୍କୁ ବିଷ,

ବେଶ ଯାହାହେଉ,ନାରୀ ଅଥବା ପୁରୁଷ।

କୃଷ୍ଣା ଦେହେ କୃଷ୍ଣ ମୁହିଁ,ଦୁର୍ଗାଦେହେ ଶିବ,

ପ୍ରଳୟ ମୋ ନାମ ପୁଣି ମୁଁ ଅଟେ ପ୍ରଭବ।"

କ୍ରମଶଃ......


Rate this content
Log in