STORYMIRROR

Kulamani Sarangi

Others

2  

Kulamani Sarangi

Others

ବହ୍ନିକନ୍ୟା (୧୯)

ବହ୍ନିକନ୍ୟା (୧୯)

2 mins
3.1K

ବହ୍ନିକନ୍ୟା

.....୧୯...

ସ୍ବୟମ୍ବର ଆୟୋଜନ ପାଇଁ ଶ୍ରୀକୃଷ୍ଣଙ୍କ ପରାମର୍ଶ

********************************************

ଅନେକଙ୍କ ମନରେ ପ୍ରଶ୍ନ ଉଠିପାରେ କଳ୍ପନାର ପୁଟ ଦେଇ ଏଭଳି ଉପାଖ୍ୟାନ ମୁଁ ଶୂନ୍ୟରୁ ସୃଷ୍ଟିକରି ପରିବେଷଣ କରୁଛି।ଆଗରୁ କହିଛି ଏବଂ ଏବେ ମଧ୍ୟ କହୁଛି ଡକ୍ଟର କେ ଏମ୍ ମୁନସୀଙ୍କ କୃଷ୍ଣାବତାରରେ ବର୍ଣ୍ଣିତ ତଥ୍ୟ ମୋର ବର୍ଣ୍ଣନାର ଆଧାର।ଭାଷା,ଭାବ ଓ ଅନ୍ୟାନ୍ୟ ପରିକଳ୍ପନା ମୋର ନିଜସ୍ବ।

ଆସନ୍ତୁ ଦେଖିବା ନଟବର କି'ଭଳି ଦ୍ରୁପଦଙ୍କୁ ମଗଧ ସହିତ ବୈବାହିକ ସମ୍ବନ୍ଧ(matrimonial alliance) ନଗଢିବା ପାଇଁ ପ୍ରବର୍ତ୍ତାଉଛନ୍ତି ତଥା ଏକ ସ୍ଵୟମ୍ବରର ଆୟୋଜନ କରି ରାଜକୁମାରୀ ଦ୍ରୌପଦୀଙ୍କ ପାଇଁ ବିଶ୍ବର ଶ୍ରେଷ୍ଠ ଜାମାତା ବରଣ କରିବାକୁ ପ୍ରବର୍ତ୍ତାଉଛନ୍ତି।

********************************************


ନିରାଶ ହୋଇ ବୋଲନ୍ତି ଦ୍ରୁପଦ ରାଜନ,

"କାହିଁପାଇଁ ଗୋବିନ୍ଦ ହେ କର ପ୍ରତ୍ୟାଖ୍ୟାନ?

ତୁମ୍ଭେ ଅସମ୍ମତ ହେଲେ ଉପାୟ ମୋ କାହିଁ,

ଜରାସନ୍ଧ ଗୃହେ ବନ୍ଧୁ ବାନ୍ଧିବି ମୁଁ ଯାଇ।


ଜରାସନ୍ଧ ଗୃହେ ଯାଜ୍ଞସେନୀ ହେଲେ ବଧୂ,

ମଗଧ,ପାଞ୍ଚାଳ ରାଜ୍ୟ ପାଲଟିବେ ବନ୍ଧୁ।

ସେ ସମୟେ ତୁମ୍ଭ ସଙ୍ଗେ ହେବ ବୈରଭାବ,

ଧର୍ମ ସଂସ୍ଥାପନା କେହ୍ନେ ହେବ ହେ ମାଧବ?


ଦ୍ରୁପଦ ବଚନ ଶୁଣି କହନ୍ତି ଗୋବିନ୍ଦ,

"ଜରାସନ୍ଧ ନୁହେଁ ନୃପ ତୁମ୍ଭ ସମାସ୍କନ୍ଦ।

ଘୁଷୁରି ସିନା ଅଭକ୍ଷ ଭକ୍ଷଣ କରଇ,

ଧେନୁ କି ପୁରୀଷ @ କେବେ ଭକ୍ଷେ ନରସାଇଁ ?

ସୁବର୍ଣ୍ଣ ଥାଳିରେ ଯେବେ ହେଡା# ପରଷିବ,

ପାତ୍ର ଦେଖି ସନ୍ଥ ତା କି ଭକ୍ଷଣ କରିବ?


ହସ୍ତୀ ସହିତ ସିଂହର ମିତ୍ରତା ଯେପରି,

ଜରାସନ୍ଧ ସଙ୍ଗେ ବନ୍ଧୁଭାବ ସେହିପରି।

କୁମ୍ଭୀର ସଙ୍ଗେ ମର୍କଟ କରିଲେ ମିତ୍ରତା,

ମଝି ନଦୀରେ ମରଣ ସୁନିଶ୍ଚିତ କଥା।

ହଂସ,ବକ ଦେଖିବାକୁ ବର୍ଣ୍ଣରେ ଧବଳ,

ଗୁଣରେ ତାଙ୍କର ନାହିଁ ତିଳେମାତ୍ର ମେଳ।

ସେହିପରି ଜରାସନ୍ଧ ସହିତେ ତୁମ୍ଭର,

ବନ୍ଧୁତ୍ବ ବିଷ ପାତ୍ରରେ ଅମୃତ ପ୍ରକାର।


ସାତ୍ତ୍ବିକ ମାର୍ଗରେ ତୁମ୍ଭେ ସଦା ବ୍ରତୀ ରାଜା,

ତାମସିକ ଗୁଣେ ପୂର୍ଣ୍ଣ ତାର ଅସ୍ଥିମଜ୍ଜା।

ଦାନ ଧର୍ମେ,ଯଜ୍ଞକର୍ମେ ନୁହେଁ ସେହୁ ବ୍ରତୀ,

ପ୍ରଜାଙ୍କୁ କଷଣ ଜରାସନ୍ଧ ଦିଏ ନିତି।

ମହା ଗର୍ବୀ,ପ୍ରଚଣ୍ଡ ଉଦ୍ଧତ ଜରାସନ୍ଧ,

ତା ସହିତ ସତେ କି ହେ ଗଢିବ ସମ୍ବନ୍ଧ?

କିପରି ବନ୍ଧୁତା ହେବ ତା ସଙ୍ଗେ ତୁମ୍ଭର,

ଅଧର୍ମ ମାର୍ଗେ କି ଯିବ ହେ ପାଞ୍ଚାଳେଶ୍ବର?

କନ୍ୟାକୁ ରାକ୍ଷସ ଘରେ ଦେବାକୁ କି ଚାହଁ !

ତା'ପୂର୍ବରୁ ବିଷ ଦେଇ ମୃତ୍ୟୁ ଶାନ୍ତି ଦିଅ।

ଜରାସନ୍ଧର ପ୍ରସ୍ତାବ କର ପ୍ରତ୍ୟାଖ୍ୟାନ,

କନ୍ୟା ପାଇଁ ସ୍ବୟମ୍ବର କର ଆୟୋଜନ।


ଅଯଥା ପ୍ରତିଶୋଧରେ ତିକ୍ତ ତୁମ୍ଭ ମନ,

ଅହର୍ନିଶ ଚିନ୍ତାକର ଦ୍ରୋଣଙ୍କ ନିଧନ।

କେତେ ପୁଣ୍ୟ ଅର୍ଜିଅଛ ଯଜ୍ଞକରି ରାଜା,

ଯାଜ୍ଞସେନ ନାମେ ବିଶ୍ବେ ଉଡାଉଛ ଧ୍ବଜା।

ସବୁ ପୁଣ୍ୟ ଧୋଇଯିବ ଈର୍ଷା ନର୍କ ନୀରେ,

ମନ ଧୌତ କର ନୃପ ସୁଚିନ୍ତନ ଧାରେ।

ଈର୍ଷାକୁ ପ୍ରେମରେ କରିଦିଅ ପରିଣତ,

ଦେଖିବ କିପରି ମନ ହୋଇବ ପ୍ରଶାନ୍ତ।


ଜନକ ସମାନ ତୁମ୍ଭେ ହୋଇବ ରାଜର୍ଷି,

ରାମ ସମ ଜାମାତା ମିଳିବେ କେତେ ଆସି।

ସ୍ବୟମ୍ବର ଯେବେ କରାଇବ ଆୟୋଜନ,

ବିଶ୍ବରୁ ଆସିବେ ମହା ମହା ବୀରଗଣ।

ବରମାଲ୍ୟ ଦେବ କନ୍ୟା ଯୋଗ୍ୟପାତ୍ର ଗଳେ,

ଯଶ ବାନା ଉଡାଇବ ତୁମ୍ଭେ ମହିତଳେ।

ବୀରଙ୍କର ଆଗମନେ ପାଞ୍ଚାଳ ଧରିତ୍ରୀ,

ଗର୍ବେ ଉତ୍ଫୁଲ୍ଲିତ ହେବ ଆହେ ମହାମତି।

ଯୋଗ୍ୟ ବନ୍ଧୁ ପାଇ ତୁମ୍ଭ ମହିମା ବଢିବ,

ଆର୍ଯ୍ୟାବର୍ତ୍ତେ ପାଞ୍ଚାଳର ଜୟକାର ହେବ।

ସଂକୀର୍ଣ୍ଣ ଈର୍ଷା ବଳୟ ତ୍ୟାଗକର ଧୀର,

ଏ ଭାବନା ଯୋଗ୍ୟ ନୁହେଁ ରାଜା ଦ୍ରୁପଦର।"


ବାସୁଦେବଙ୍କର ସପ୍ରଶଂସ ବାଣୀ ଶୁଣି,

ଦିବ୍ୟଭାବ ଅନୁଭବ କଲେ ନରମଣି।

ଶୁଷ୍କ ବନ ଅକସ୍ମାତ ହେଲା ପଲ୍ଲବିତ,

ବିଚାରିଲେ ଶତ ପ୍ରତିଶତ ଏହା ସତ୍ୟ।

କୃଷ୍ଣକୁ ଅନାଇ ବୋଲୁଛନ୍ତି ନରବର,

ଆୟୋଜନ କରିବି ମୁଁ ଭବ୍ୟ ସ୍ବୟମ୍ବର,।

ତୁମ୍ଭ ଗଳେ ବରମାଲ୍ୟ ଦେଲେ ମୋ କୁମାରୀ,

ଆନନ୍ଦେ ଗ୍ରହଣ କରିବ ତ ଚକ୍ରଧାରୀ?"


ରାଜାଙ୍କର ବାଣୀ ଶୁଣି ହସିଲେ ଗୋବିନ୍ଦ,

ଭାବିଲେ "ସେ ଚକୋରୀ ମୁଁ ଆକାଶର ଚାନ୍ଦ।

ଚାନ୍ଦ ଚକୋରୀ ମିଳନ କେବେ ହୋଇନାହିଁ,

ତୃପ୍ତି ପଛେ ଶାଶ୍ବତ ପ୍ରେମ କି ଥାଏ ଧାଇଁ ?

ଅତୃପ୍ତିରେ ତୃପ୍ତି ଅଟେ ପରିଚୟ ତାର,

କୃଷ୍ଣା-କୃଷ୍ଣଙ୍କର ଭାବ ହିଁ ଅନୁଭବର।"


ଭାବନା ରାଜ୍ୟରୁ ଫେରି ବୋଇଲେ ଗୋବିନ୍ଦ,

"ରାଜଜେମା ବରଣ କରିବେ ହୀରାଚାନ୍ଦ।

ମୁଁ କାଳିଆ ମତେ କିପାଁ ବରଣ କରିବେ?

ଶ୍ରେଷ୍ଠ ପୁରୁଷର ଗଳେ ବରମାଲ୍ୟ ଦେବେ।"


*ମେଘସନ୍ଧି--ଜରାସନ୍ଧର ପୌତ୍ର

@ପୁରୀଷ--ମଳ

#ହେଡା--ପଚାମାଂସ,ଗୋମାଂସ


କ୍ରମଶଃ--------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍