ବହ୍ନିକନ୍ୟା (୧୭)
ବହ୍ନିକନ୍ୟା (୧୭)
ବହ୍ନିକନ୍ୟା
.....୧୭....
ପାଞ୍ଚାଳ ରାଜଧାନୀ କାମ୍ପିଲ୍ୟରେ ଶ୍ରୀକୃଷ୍ଣ
********************************************
ହସ୍ତିନା ରାଜ ପରିବାରରେ ଘଟିଥିବା ଷଡଯନ୍ତ୍ର ଶ୍ରୀକୃଷ୍ଣଙ୍କୁ ବିବ୍ରତ କରି ଦେଇଥିଲା। ଯେଉଁ ହସ୍ତିନା ଦିନେ ଧର୍ମପଥଗାମୀ ଥିଲା , ତାହା ଆଜି ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ ଭଳି ଖଳ ଏବଂ ଦୁଷ୍ଟ ବ୍ୟକ୍ତିମାନଙ୍କ ଦ୍ବାରା ପରିଚାଳିତ ହେଉଥିଲା।ପିତାମହ ଭୀଷ୍ମ ଏବଂ ଧର୍ମାତ୍ମା ବିଦୂରଙ୍କ ପ୍ରଭାବ କ୍ଷୀଣ ହୋଇ ଆସୁଥିଲା।
ଯୁଧିଷ୍ଠିରଙ୍କ ଯୁବରାଜତ୍ବ ସମୟରେ ପ୍ରଜାମାନେ ଆନନ୍ଦିତ ଥିଲେ।କିନ୍ତୁ ପାଣ୍ଡବମାନଙ୍କୁ କଳେ ବଳେ କୌଶଳେ ହସ୍ତିନରୁ ଦୂର କରିଦେଇ ଅଧର୍ମ ମୁଣ୍ଡ ଟେକିବାକୁ ଆରମ୍ଭ କରିଛି। ଆର୍ଯ୍ୟାବର୍ତ୍ତରେ, ମଗଧ ଭଳି ହସ୍ତିନା ମଧ୍ୟ ଶ୍ରୀକୃଷ୍ଣଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବାପାଇଁ ଯାଉଛି।
ସେପଟେ ପାଣ୍ଡବ ମାନେ ଅସହାୟ ଅବସ୍ଥାରେ ଜଙ୍ଗଲରେ ଘୂରି ବୁଲୁଛନ୍ତି।କୁରୁ ରାଜପରିବାରରେ ସେମାନଙ୍କର ଆଉ ସ୍ଥାନ ନାହିଁ କହିଲେ ଚଳେ।କୌଣସି ରାଜ ଶକ୍ତିର ବିନା ସାହାଯ୍ୟରେ ପାଣ୍ଡବମାନେ ହସ୍ତିନାରେ ନିଜର ଅଧିକାର ସାବ୍ୟସ୍ତ କରି ପାରିବେ ନାହିଁ।କିନ୍ତୁ ସେଭଳି ରାଜଶକ୍ତି ଧର୍ମପଥଗାମୀ ହୋଇଥିବା ଆବଶ୍ୟକ।ତାହା କଣ ପାଞ୍ଚାଳ ହୋଇପାରେ?
ସାତ୍ୟକିଙ୍କ ସହିତ ପାଞ୍ଚାଳ ଅଭିମୁଖେ ଯାତ୍ରା କରିବା ସମୟରେ ଏହି ଭାବନାରେ ମଗ୍ନ ଥିଲେ କେଶବ।
********************************************
ଅଶ୍ଵ ଝପଟାଇ ଦେଲେ ପାଞ୍ଚାଳ ଦିଗରେ,
ଶ୍ରୀକୃଷ୍ଣ ସାତ୍ୟକି ସଙ୍ଗେ ବସି ସ୍ୟନ୍ଦନରେ।++
ପବନ ହୁଁ ଖରତର ଉଡେ଼ ରହୁବର @
ସାତ୍ୟକିଙ୍କୁ ଚାହିଁ ପଚାରନ୍ତି ଚକ୍ରଧର।
"କାହିଁକି ଚିନ୍ତା ମଗନ କୁହ ଯୁଯୁଧାନ, #
ତୁମ୍ଭ ଚିନ୍ତା ଦେଖି ହୁଏ ବ୍ୟାକୁଳ ମୋ ମନ"।
ସାତ୍ୟକି ବୋଲନ୍ତି "ପ୍ରଭୁ ତୁମ୍ଭେ ଅନ୍ତର୍ଯ୍ୟାମୀ,
ମୋର ମନକଥା ସତେ ନପାର କି ଜାଣି?
ମନେ ମୋ ଉଠଇ ପ୍ରଶ୍ନ ଦେଖି ତୁମ୍ଭ କାର୍ଯ୍ୟ,
ପାଞ୍ଚାଳକୁ କେଉଁ ଅର୍ଥେ ଯାଉଛ ହେ ଆର୍ଯ୍ୟ?
ଦ୍ରୌପଦୀଙ୍କୁ ବିଭା ଯେବେ ନୋହିବ ଶ୍ରୀହରି,
କାମ୍ପିଲ୍ୟ ଯାଉଛ ତେବେ କି ଉଦ୍ଦେଶ୍ୟ ଧରି?"*
ଶୀକୃଷ୍ଣ ବୋଲନ୍ତି "ଧର୍ମ ସଂସ୍ଥାପନା ପାଇଁ,
ଅବତ୍ତୀର୍ଣ୍ଣ ହୋଇଅଛି ଧରାଧାମେ ମୁହିଁ।
ଜରାସନ୍ଧ ହେବ ଯେବେ ଦ୍ରୁପଦ ସମ୍ବନ୍ଧୀ,
ଆର୍ଯ୍ୟାବର୍ତ୍ତେ ଅଧର୍ମର ଶକ୍ତି ହେବ ବୃଦ୍ଧି।
ଆଭାସ ମିଳଇ ବଞ୍ଚିଛନ୍ତି ପାଞ୍ଚଭାଇ,
କରିବାକୁ ହେବ ସ୍ବୟମ୍ବର ତାଙ୍କ ପାଇଁ।
ପାଣ୍ଡବ ପଞ୍ଚଭ୍ରାତାରୁ କେହି ଜଣେ ବୀର,
ଗ୍ରହଣ କରିବ ପାଣି ଯେବେ ଦ୍ରୌପଦୀର,।
ପାଞ୍ଚାଳର ସହାୟତା ପାଣ୍ଡବେ ପାଇବେ,
ହସ୍ତିନାରେ ଅଧିକାର ସାବ୍ୟସ୍ତ କରିବେ।
ସଦା ଧର୍ମପଥ ଗାମୀ ପାଣ୍ଡୁ ପାଞ୍ଚ ଭାଇ,
ଅଧର୍ମ ପଥର ଯାତ୍ରୀ କୌରବ ଗୋସାଇଁ।
ପାଣ୍ଡବଙ୍କୁ ଦେବାପାଇଁ ହୃତ ସନମାନ,
ଅନ୍ୟ ଉପାୟ ତ କିଛି ନାହିଁ ଯୁଯୁଧାନ।
ଏତିକି ମୋ ଅନୁରୋଧ ହେ ସାତ୍ୟକି ଭ୍ରାତ,
ଆମ୍ଭ କଥୋପକଥନ ରଖିଥିବ ଗୁପ୍ତ।
ଜାଣି ନପାରନ୍ତି ଯେହ୍ନେ ଭାଇ ବଳରାମ,
ଅଥବା ଦ୍ବାରକାବାସୀ ଅବା ଉଗ୍ରସେନ।
ପାଣ୍ଡବଙ୍କ ନିରାପତ୍ତା ଅର୍ଥେ ଏ ସମ୍ବାଦ,
ନ ହୋଇବ ମଧ୍ୟ ରାଜା ଦ୍ରୁପଦଙ୍କୁ ଜ୍ଞାତ।
ଲକ୍ଷଭେଦର କଠିନ ପରୀକ୍ଷା ହୋଇବ,
ବିଜୟୀ ହୋଇବ ତହିଁ ମଧ୍ୟମ ପାଣ୍ଡବ।
କୃଷ୍ଣା ସଙ୍ଗେ ଅର୍ଜୁନର ବିବାହ ସମ୍ପନ୍ନ
ହୋଇଲେ ଘଟିବ ଭାଗ୍ୟ ଚକ୍ର ବିବର୍ତ୍ତନ।
ହତାଶାରେ ବୁଲୁଛନ୍ତି ଯେଉଁ ପଣ୍ଡୁ ପୁତ୍ରେ,
ଭିକ୍ଷା ମାଗି ଦ୍ବାରେ ଦ୍ବାରେ ଜନପଦ ପ୍ରାନ୍ତେ।
ବଦଳିବ ଭାଗ୍ୟ ପାଇ ପାଞ୍ଚାଳ ଶକତି,
ଭାଗ୍ୟଚନ୍ଦ୍ର ଦୁର୍ଭାଗ୍ୟର ମେଘୁ ହେବ ମୁକ୍ତି।"
ସାତ୍ୟକି ବୋଇଲେ "କୃଷ୍ଣା ସ୍ବୟମ୍ବର ପାଇଁ,
କିପାଇଁ କରିବେ ଇଚ୍ଛା ପାଞ୍ଚାଳ ଗୋସାଇଁ?
ବିନା ସ୍ୱୟମ୍ବରେ ସହଦେବ ନନ୍ଦନକୁ,+
ଆଣିବେ ଦ୍ରୁପଦ, କନ୍ୟା ସଙ୍ଗେ ଛନ୍ଦିବାକୁ।
ହେବ ଯେବେ ସ୍ଵୟମ୍ବର କେ ଜାଣଇ ଭଲା,
କିରିଟୀଙ୍କୁ ବରିବେ କି ନାହିଁ ରାଜବାଳା ?"
ମୃଦୁ ହସି ବାସୁଦେବ ବୋଇଲେ "ହେ ଆର୍ଯ୍ୟ,
ଦେଖ ମୁଁ କିପରି କରାଉଛି ସେହି କାର୍ଯ୍ୟ।"
ସାତ୍ୟକି ବୋଲନ୍ତି"କୃଷ୍ଣ ତୁମ୍ଭ ପ୍ରହେଳିକା,
ବୁଝିବା ପାଇଁ ସମର୍ଥ ତୁମ୍ଭେ ସିନା ଏକା ।
ତୁମ୍ଭେ ଏକା ଜାଣ ତୁମ୍ଭ ମନ ମାନଚିତ୍ର,
ତାକୁ ପଢିବା ପାଇଁ ମୁଁ ନୁହଇ ସମର୍ଥ।
ଏତିକି ମାତ୍ର ମୁଁ ଜାଣେ,ଯାହା ତୁମ୍ଭେ କର,
ଅନ୍ତିମେ ସଫଳ ହୁଏ ଉଦ୍ଦେଶ୍ୟ ତୁମ୍ଭର।"
ହେଉ ଏହିପରି ଦୁହଁ କଥୋପକଥନ,
କାମ୍ପିଲ୍ୟରେ ପହଞ୍ଚିଲା ଶ୍ରୀକୃଷ୍ଣ ସ୍ୟନ୍ଦନ।
ନବରେ ପାଛୋଟି ନେଲେ ଧୃଷ୍ଟଦ୍ୟୁମ୍ନ ବୀର,
ଆତିଥ୍ୟ ପାଇ ଆନନ୍ଦ ଯାଦବ ଈଶ୍ୱର।
ଚାମର ଢାଳିଲେ ଆସି ଭ୍ରାତା ସତ୍ୟଜିତ,₹
ଲାଘବ କରିଲେ ପଥ ଶ୍ରାନ୍ତ ନନ୍ଦ ସୁତ।
*କାମ୍ପିଲ୍ୟ...ପାଞ୍ଚାଳର ରାଜଧାନୀ
@ରହୁବର.....ରଥ
#ଯୁଯୁଧାନ---ସାତ୍ୟକିଙ୍କର ଅନ୍ୟନାମ
+ସହଦେବ...ସମ୍ରାଟ ଜରାସନ୍ଧଙ୍କ ପୁତ୍ର ତଥା ମେଘସନ୍ଧିର ପିତା
₹ସତ୍ୟଜିତ....ଦ୍ରୁପଦଙ୍କର ଏକ ପୁତ୍ର
++ସ୍ୟନ୍ଦନ....ରଥ
କ୍ରମଶଃ--------
