ଭକ୍ତିଅର୍ଘ୍ୟ
ଭକ୍ତିଅର୍ଘ୍ୟ
1 min
218
ଛୋଟ ଛୋଟ ଖୁସି ସାଥିରେ ସାଉଁଟି
ଆଞ୍ଜୁଳିରେ ଭରି ନେଲି
ବିଭୁ ପାଦପଦ୍ମେ ଭକତି ନୈବେଦ୍ୟ
ସ୍ବରୂପେ ଅର୍ପଣ କଲି।
ଏସବୁର ମୂଳେ ତୁମେ ଯେ ଗୋବିନ୍ଦ
ନିସନ୍ଦେହେ ହେଜ ହେଲା
ତୁମ ଇଛା ଯୋଜନାର ଅଭିପ୍ରାୟ
ମତିରେ ପ୍ରବେଶ କଲା।
ହାରିଯିବା ବେଳେ ଶକତିର ଉତ୍ସ
ସୃଜିଲ ମନର ମଧ୍ଯେ
ଭିଆଇଲ ତୁମେ ଏପରି ଭିଆଣ
କିପରି ବର୍ଣ୍ଣିବି ଶବ୍ଦେ।
କରି କରାଉଛ ସବୁ ତୁମେ ପରା
ଜାଣିଅଛି ତୁମ ଲୀଳା
ସହନ ଶକତି ଶେଷ ହୋଇଗଲେ
ଅଭିମାନୀ ହୁଏ ବାଳା।
ଅଦମ୍ୟ ସହନଶୀଳତା ଯୋଗାଇ
ଦିଅହେ ଜଗତନାଥ
ଜୀବନ ଯୁଦ୍ଧରେ ଆଗକୁ ବଢିବି
ତୁମ ପଦେ ରଖି ମାଥ।
