ଭାବର ବାହୁଡା
ଭାବର ବାହୁଡା
ନବମୀ ଦର୍ଶନ କରିବା ପାଇଁ ମୁଁ
ଯା'ନ୍ତେ ଗୁଣ୍ଡିଚା ମନ୍ଦିରେ,
ଦେଖିଲି ବସିଛି ମାଉସୀ ମା ଦୁଃଖେ
ସ୍ନେହ ଅଶ୍ରୁ ନୟନରେ। ୦
ପଚାରନ୍ତେ ଯାଇ ସଧିରେ ମାଉସୀ
କାହିଁକି ଅଛନ୍ତି ରୁଷି,
କହନ୍ତି ଶୁଣ ତୁ ପଚାରିଲୁ ଯେବେ
କହୁଅଛି ମୁହିଁ ବସି। ୧
ଆସିଥିଲା ରଥେ ଗୁଣ୍ଡିଚା ଯାତରେ
ଗୁଣ୍ଡିଚା ବାଡ଼ିକୁ ମୋର,
ଛାଡି ଚାଲିଯିବ କାଲି ସକାଳକୁ
ତାହାରି ବଡ଼ ଦେଉଳ। ୨
ଜଗିଲାଣି ରଥ ଚାହିଁଲାଣି ପଥ
କାଳିଆ ବାହୁଡ଼ା ଯାତ,
କେମିତି ଭୁଲିବି ନବ ଦିନ ସ୍ନେହ
ଯାହା ଦେଲା ଜଗନ୍ନାଥ। ୩
ଭକତଙ୍କ ଛଳେ ଭାବର ବିହ୍ବଳେ
ଦଶ ଅବତାର ହୋଇ,
କେତେ ଲୀଳା ରଚି ପ୍ରଭୁ ଲୀଳାମୟ
ମନ ଇଚ୍ଛା ଭୋଗ ଖାଇ। ୪
ଆସିଥିଲେ ଲକ୍ଷ୍ମୀ ମନେ ମାନ ଭରି
କରିଲେ ମାନ ଭଞ୍ଜନ,
ଫେରିଛି ଦେଉଳେ ରୋଷ ଅବହେଳେ
ମନେ ବହି ତମତମ। ୫
ରାଗେ ଜଗିଥିବ ଲକ୍ଷ୍ମୀ ସାଆନ୍ତାଣୀ
ଫେରନ୍ତା ପଥକୁ ତାର,
ଚାହିଁଛି ଅରୁଣ, ରତ୍ନ ସିଂହାସନ
ଫେରା ବାଟ କାଳିଆର। ୬
ନବ ଦିନ ହେଲା ଶିରୀ ମନ୍ଦିରର
ଶୀରି ଯାଇଅଛି ହଜି,
ଯେଉଁ ଦିନୁ ଗଲା ଭାବ ବିନୋଦିଆ
ଭକତ ଭାବରେ ମଜ୍ଜି। ୭
ସୁଖେ ରହିଥିଲା କୁଡିଆରେ ମୋର
କରୁଥିଲା କେତେ ଅଳି,
ଫେରି ଚାଲିଯିବ ମନୁଆ ଠାକୁର
ମନରୁ ଯିବ କି ଭୁଲି। ୮
କରି ଦେଉଥିଲି ପୋଡ଼ପିଠା କେତେ
ସୁଖେ ଖାଉଥିଲା ବସି,
ମାଆ ମମତାକୁ ମାଉସୀ ନିକଟେ
ସ୍ନେହେ ଅଳି କଲା ଆସି। ୯
ଗହଳ ଚହଳ ଶୁଭୁଥିଲା କେତେ
ଦୁଆର ପଡିବ ଖୋଲା,
ସାତ ପର କରି ମାନସୀକୁ ତାର
ବାହୁଡ଼ିବ ଚକାଡ଼ୋଳା। ୧୦
ମାଆ ସିନା ନୁହେଁ ମାଉସୀ ବୋଲି ମୁଁ
ବରଷକେ ଆସେ ଧାଇଁ,
ଯାହା ଦେଲେ ଖାଇ ଭକ୍ତ ଭୋଳ ହୋଇ
ମନ ସୁଖେ ଥାଏ ରହି। ୧୧
ଷାଠିଏ ପଉଟି ମନ ହେଲାଣି ତା
ଆଉ କି ପାରିବି ବାନ୍ଧି,
ବର୍ଷଟିଏ ପୁଣି ଚାହିଁ ବସିଥିବି
ଏଇମିତି ସୁଖେ କାନ୍ଦି। ୧୨
ଶୁଣି ମନେ ମନ କରି ଦରଶନ
ହୃଦୟ ଜାଗେ ବିହ୍ବଳ,
ଜଗତ କହନ୍ତି କାଳିଆ ଠାକୁର
ଭକତ ଭାବରେ ଭୋଳ। ୧୩
ବୁଝିଲେ କି ନାହିଁ ଭାବର ଠାକୁର
ମାଉସୀମା'ର ଭାବ,
ଭାବ ବିନୋଦିଆ ଜଗତ ଭିତରେ
ବୋଲାଇଲେ କିସ ହେବ। ୧୫
ନିଜେ ଖାଉ ଥା'ନ୍ତି ଷାଠିଏ ପଉଟି
ଭୋକି ଶୋଉଥାଏ ଭୋକେ,
ନିଜେ ବସିଥାନ୍ତି ରତ୍ନ ସିଂହାସନେ
"ଦୁଃଖୀ''
ଧରାକର୍ଷେ ଦୀନ ଦୁଃଖେ। ୧୬
*************************
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ
କୋରାପୁଟ
9124049129
