ବେଡି
ବେଡି
ସେଇ ପରିଚିତ ସ୍ୱର,
ଚିହ୍ନା ଚିହ୍ନା ପବନ,
ଦମକାଇ ଦେଲା ପରି ଶୁନଶାନ ।
ପୁଣି ଥରେ ସେ ଡାକି ଆସିଛି,
ସେଇଠିକୁ ଯିବାକୁ,
ସେଠିକୁ, ଯେଉଁଠିକୁ ତାକୁ ବାରମ୍ବାର ଯିବାକୁ ପଡିଛି l
ଏଥର କିନ୍ତୁ ବହୁତ ଦୂରକୁ
ମା ର ପଣତ କାନି ଠୁ,
ପିତାଙ୍କ କଡା ନିଘା ଠୁ,
ଭାଇ ଭଉଣୀଙ୍କ ସ୍ନେହ ମମତା ଠୁ,
ଏକ ନିଷ୍ଠୁର ଶୃଙ୍ଖଳକୁ ମାନିବାକୁ,
ଯାହା କପାଳ ଚିରି ଲେଖା ହୋଇ ଯାଇଛି,
ଅନନ୍ତ ସମୟର ବୁକୁ ଚିରି l
ଯେଉଁଠି ଚଢିବାକୁ ପଡିବ ପାହାଚ ପରେ ପାହାଚ,
ଭାଙ୍ଗିବାକୁ ପଡିବ ବତାସର ମୋଡ l
ସବୁ ଅଦମ୍ୟକୁ ସାକାର କରି,
ନିଜର ଦସ୍ତଖତ କରିବାକୁ,
ସମୟ ଚୁପ ଚାପ ଡାକି ନିଏ l
ବାଟସାରା କେତେ ଖୋଲା ଆକାଶ,
ପାଗଳ ହୋଇଯିବାର ରାସ୍ତା,
ମାତ୍ର ପାଦ ଅଟକି ଯାଏ,
ସେ ନିୟମକୁ ମନେପକାଇ l
କାରଣ, ସେ ଝିଅଟି ଏ, ନାରୀ ଟି ଏ,
ଏ ବେଡି ତା ପାଦ ରେ କାଲି ବି ଥିଲା,
ଆଜିବି ଅଛି, ଆଉ ରହିଥିବ, ତା ଇଛା ବିରୁଦ୍ଧରେ l