ବାପାଙ୍କ ନୀରବ କାନ୍ଦଣା
ବାପାଙ୍କ ନୀରବ କାନ୍ଦଣା
ବାପା ! ତୁମେ ଖୁବ ମହାନ
ମୋ ପିଲାଦିନର ସୁପର ହିରୋ..
ନଦୀ ତୁମକୁ ବୁଡେଇ ପାରେନା,
ପବନ ତୁମକୁ ଉଡେଇ ପାରେନା,
ତୁମେ ମୋ ପାଇଁ ସର୍ବଶକ୍ତିମାନ ll
ବାପା ! ମୁଁ ତୁମଠାରେ ସର୍ବଦା ଦେଖେ
ସୁମୁଦ୍ର ର ଗଭୀରତା ଆଉ ପର୍ବତର ବିଶାଳତା l
କଷ୍ଟ ଦୁଃଖ ତୁମକୁ ଛୁଇଁ ମଧ୍ୟ ପାରେନାହିଁ
ସମସ୍ତ ଅସମ୍ଭବ ହୁଏ ସମ୍ଭବ ତୁମ ପାଖେ ll
ବାପା !ସତରେ କଣ ତୁମ ହୃଦୟ ଟା ଏତେ ଶକ୍ତ ?
ତାହେଲେ ଆଜି ନୀରବତା ଭଙ୍ଗ କର
ମୋ ପ୍ରଶ୍ନ ର ଜବାବ ରଖ ll
ବାତ୍ୟା ରେ ଛପର ଉଡ଼ିଗଲା ନକାନ୍ଦି ସଜାଡି଼ଲ ଏକା
ତୁମ ଛିଣ୍ଡା ସାର୍ଟ ରେ ତାଳି ଆଉ ପ୍ୟାଣ୍ଟ ବି ଲୋଚା କୋଚା
କିନ୍ତୁ ଭାଈ ର ଫଟା ସ୍କୁଲ ପ୍ୟାଣ୍ଟ ଦେଖି,
କାହିଁକି ତୁମ ଦୁଇ ଚକ୍ଷୁ କୋଣରେ ହାତଆଙ୍ଗୁଠି ର ଚାପା ??
ବାପା !ସ୍କୁଟର ଟିଏ କିଣିବାକୁ ତୁମ ଖୁବ ଇଚ୍ଛା
ସାଇକେଲ ରେ ବିତେଇଲ ତମାମ ଯୌବନ l
ରାଜା ପାଇଁ ବାଇକ କିଣିବାକୁ ଯୋଗାଡ଼ିନପାରିଲ ଟଙ୍କା
ଗାମୁଛା ରେ ମୁହଁ ପୋଛ ବାରମ୍ବାର
ଲୋତକ କି ସତେ ଆଜି ସ୍ୱେଦ ପାଲଟିଗଲା
ସଜ୍ଜଳ ତୁମ ଅସହାୟ ଦୁଇ ନୟନ l
ବାପା !ବାଡ଼ ବାନ୍ଧୁ ବାନ୍ଧୁ କଟିଯାଏ ତୁମ ହାତ
ରକ୍ତ ରେ ଲାଲ ପିନ୍ଧା ଲୁଙ୍ଗି
ତଥାପି ବଦନରେ ନାହିଁ ଯନ୍ତଣା ର ଲେସମାତ୍ର ଚିହ୍ନ ll
ଜର ରେ କମ୍ପୁଥିଲି ମୁଁ
ବୋଉ ର କାନ୍ଦଣା
ପାଖରେ ନାହିଁ ବେଶୀ ଟଙ୍କା
ବିକ୍ରି କଲ ତୁମ ଏକମାତ୍ର ହାତ ଘଣ୍ଟା
ମୋତେ ଜର ଶହେ ଦୁଇ, ମୋର ପ୍ରାୟ ହୋସ ନାହିଁ
ଛାତିରେ କିନ୍ତୁ ତୁମର ରହି ରହି ଭୀଷଣ କମ୍ପନ ll
ବାପା !କାଲି ବି ତୁମେ ଆମ କଷ୍ଟରେ ନିରବି କାନ୍ଦୁଥିଲ
ଆଜି ବି କାନ୍ଦୁଛ
କାହିଁକି ଏପରି କର ??
ଭାଙ୍ଗି ଦିଅ ନୀରବତା
ଦୁଃଖ କୁ ଛାତିରେ ଚାପିଦେଇ ଅଣନିଶ୍ୱାସୀ କର ନାହିଁ
ମୁକ୍ତ କର ଦର୍ଦ ର ଦ୍ୱାର
ପିଇଯିଵି ସବୁ ତୁମ ଅସହାୟତା କୁ
ମୁଁ ମଧ୍ୟ ତୁମ ରି ହିଁ ଝିଅ ll
ମୋ କାନ୍ଧେ ଥାପି ଦିଅ ଛାତିର ଓଜନିଆ ବୋଝ
ବିଶ୍ୱାସ କର ଭାଙ୍ଗିବିନି
ବୋହିନେବି ସବୁଯାକ ll
ବାପା !କଥା ମାନ l
ଖୋଲିଦିଅ ଆଜି ନିଜ ହୃଦୟ ଓ ମନ
ମନ ଭରି କାନ୍ଦ
ବନ୍ଦ କରିଦିଅ ତୁମ ନୀରବ କ୍ରନ୍ଦନ ll
ଲୋପାମୁଦ୍ରା ମିଶ୍ର
