ବାପା
ବାପା
ବାପା ଡାକରେ ଯେ କେତେ ମଧୁରତା
ଡାଡ଼ି ଡାକରେ ତା ନାହିଁ,
ବାପାଙ୍କୁ ଯିଏ ସେ ଦୁରେଇ ଦେଇଛି
ସେ ଅବା ବୁଝିବ କାହିଁ ।।
ଝିଅ ବୋଲି କେବେ ଦୂରେଇ ଦେଲେନି
ପୁଅଟିଏ ପରି ରଖିଲେ,
ସବୁ କଳା କ୍ଷେତ୍ରେ ଆଗକୁ ଯିବାକୁ
ଆଶୀର୍ବାଦ ସିଏ ଢାଳିଲେ।।
ନିଜ ସୁଖ କଥା କେବେ ଭାବନ୍ତିନି
ଆମ ଦୁଇଝିଅ ପାଇଁକି,
ଆମ ଓଠେ ଟିକେ ହସ ଦେବା ପାଇଁ
ନିଜ ଖୁସି ଚାପି ଦେଇକି।।
ଦୋକାନରୁ ଯେବେ ଘରକୁ ଫେରିଲେ
ପ୍ରଥମେ ଖୋଜନ୍ତି ମୋତେ,
ଝିଅ କହି ଥରେ ଡାକଦେଇଦେଲେ
ଧାଇଁ ଆସେ ଅବିରତେ।।
ଯାହାତ ମାଗିଛି ସବୁତ ପାଇଛି
ମନାକରନ୍ତିନି କେବେ,
ଯେତେ ଭୁଲ୍ କଲେ ସବୁ ଭୁଲ୍ ମୋର
ସୁଧାରି ଦିଅନ୍ତି ତେବେ।।
ସମସ୍ତେ କୁହନ୍ତି ଝିଅ ଠାରୁ ପୁଅ
ଅଧିକ ଗୁଣରେ ଭଲ,
ହେଲେ ମୋର ବାପା , କେବେ କୁହନ୍ତିନି
ଝିଅଙ୍କୁ କରନ୍ତି ଗେଲ ।।
ଅତି ଆଦରରେ ଗେହ୍ଲା କରୁଥିଲେ
ଭାବିଲେ ଲାଗୁଛି ଡର,
ଯୋଉ ବାପା ଦିନେ ସ୍ନେହ ଦେଇଥିଲେ
କରି ଦେବେ ଦିନେ ପର ।।
ବାପା ବାପା କହି କାହାକୁ ଡାକିବି
କରିଦେବେ ଯେବେ ପର ,
ଝିଅ ବୋଲି ଆଉ କାହାକୁ ଡାକିବି
ଝିଅ ଗଲେ ଶାଶୁଘର ।।
