STORYMIRROR

Rajendra Giri

Others

4  

Rajendra Giri

Others

ବାପା

ବାପା

1 min
163

ବାପା ! ବେଳେ ବେଳେ ଇଚ୍ଛା ହୁଏ 

ହାତ ବୁଲେଇ ପରଖିବାକୁ 

ଅୟୁତ ଓଜନକୁ ଆୟତ କରୁଥିବା

ତୁମର ସେଇ ଟାଣ ଛାତିକୁ ।।


ସଂସାର ଯାକର ଦୁଃଖ-ଯନ୍ତ୍ରଣାକୁ

କେମିତି ଲୁଚେଇ ରଖ ଯେ !

ବୁଢ଼ୀ ଅସୁରୁଣୀର ଖୋଳପା ପରି ,

ଏକ ପ୍ରବୀଣ ଅଭିନେତା ପରି

ତୁମେ-ବି ବେଳେବେଳେ ମେକପ ନିଅ

ସେତା ମୁହଁଟି ଉପରେ 

ପରସ୍ତେ ହସର ରଙ୍ଗ ଲେପି ।।


ବାପା ! ବେଳେବେଳେ ଇଚ୍ଛା ହୁଏ

ମନଭରି ଶୁଙ୍ଘି ଚାଲିବାକୁ 

ଲୁହ ଲହୁକୁ ପୋଛିଥିବା

ତୁମର ସେଇ ଲାଲି ଗାମୁଛାକୁ ।।


ମୋ ଅଳି ଟିକକ ପୂରଣ ପାଇଁ

ମୋ ଭବିଷ୍ୟତର ସ୍ବପ୍ନ ଦେଖି

ନିଜ ସୁଖସବୁକୁ ଫାଶୀ ଟଙ୍ଗେଇ ଦିଅ

ଆଲମାରିର କଣ୍ଟା ଦେହରେ 

ଠିକ୍ , ତୁମ ଧଳା ପାଇଜାମା ପରି ।।


ବାପା ! ବେଳେ ବେଳେ ଇଚ୍ଛା ହୁଏ 

କାନ ଡେରି ଶୁଣିବାକୁ 

କଷଣମାନଙ୍କୁ ହଜମ କରିଥିବା

ତୁମ ପେଟ ଭିତରର ଶବ୍ଦ ଗୁଡ଼ିକୁ ।।

 


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍