STORYMIRROR

Kulamani Sarangi

Others

2  

Kulamani Sarangi

Others

ବାଣୀପୁତ୍ର ଗଦାଧର ସିଂହସାମନ୍ତ - ୯

ବାଣୀପୁତ୍ର ଗଦାଧର ସିଂହସାମନ୍ତ - ୯

1 min
2.7K


..................୯......................

ଦ୍ଵିତୀୟା ଚନ୍ଦ୍ର ବର୍ଣ୍ଣନା...ପଞ୍ଚମ ପଦ

..............................................

ସମସ୍ତ କାବ୍ୟ ପ୍ରେମୀ ବନ୍ଧୁମାନଙ୍କୁ ମୋର ସାରସ୍ଵତ ପ୍ରଣାମ । ବାଣୀ ପୁତ୍ର ଗଦାଧର

ସିଂହସାମନ୍ତଙ୍କର ବିରଳ କୃତି ଗୁଡିକୁ ଲୋକ ଲୋଚନକୁ ଆଣିବାର ମୋର ପ୍ରୟାସରେ ସାମାନ୍ୟ ଶିଥିଳତା

ଆସିଥିବାରୁ ମୁଁ ସେଥିପାଇଁ କ୍ଷମାପ୍ରାର୍ଥୀ । ଆଜି ଆସନ୍ତୁ ଗଦାଧରଙ୍କର "ଦ୍ଵିତୀୟା

ଚନ୍ଦ୍ର ବର୍ଣ୍ଣନ"ର ପଞ୍ଚମ ପଦଟିରେ ଥିବା କାବ୍ୟ ରସ ଆସ୍ଵାଦନ କରିବା।

*****************************************

ଅଭିମାନିନୀ ପ୍ରିୟାର ମାନ ଭଞ୍ଜନ କରିବାକୁ ଯାଇ ନାୟକ ,ଆକାଶରେ ଥିବା ,ଶୁକ୍ଳପକ୍ଷ ଦ୍ଵିତୀୟା

ତିଥିର ଚନ୍ଦ୍ର ପ୍ରତି ନାୟିକାର ଦୃଷ୍ଟି ଆକର୍ଷଣ କରି କହିଛି "ରେ ପ୍ରିୟତମା!.....

"ଖନୀଳ ପାଷାଣେ ବିହି 'ଠ'କାର,

କଠିନୀରେ ଲେଖି ଚାହିଁଲା ତୋର-

ବଦନକୁ ସେ ଅଧେ ଉଣା ଧ୍ୟାୟୀ,

ଅଧେ ରଖିଅଛି ଅଧେ ଲିଭାଇ ରେ,

ଚାହାଁ ଚଳ ନେତ୍ରାଞ୍ଚଳାରେ,

ଏ ନୋହେ ବଳକ୍ଷପକ୍ଷ ଜାତ ରୃକ୍ଷପତିର ଦ୍ବିତୀୟା କଳାରେ।"

******************************************

ଟୀକା...

ଖନୀଳ ପାଷାଣ....ଆକାଶ ରୂପକ ପାଷାଣ ବା ପଥର

ବିହି.....ବିଧାତା,ସୃଷ୍ଟିକର୍ତ୍ତା

ଠକାର......'ଠ' ଅକ୍ଷରକୁ ଲେଖି

କଠିନୀରେ ଲେଖି....ଖଡିଦ୍ଵାରା ଲେଖି

ଚାହିଁଲା ତୋର ବଦନକୁ....ତୋ ମୁଖକୁ ଚାହିଁଲା

ଅଧେ ଉଣା ଧ୍ୟାୟୀ....'ଠ'ରୁ ଅଧା ଲିଭାଇଦେଲେ ଯାହା ରହିବ, ତାହା ତୋର ମୁଖ

ସହିତ ସାଦୃଶ୍ୟ ବହନ କରିବ ବୋଲି ବିଚାରକରି(ଧ୍ୟାୟୀ)

ଚଳ ନେତ୍ରାଞ୍ଚଳା....ଚଞ୍ଚଳ ନେତ୍ରୀ

ବଳକ୍ଷ ପକ୍ଷ.....ଶୁକ୍ଳପକ୍ଷ

ରୃକ୍ଷପତି....ତାରାଙ୍କ ପତି ଚନ୍ଦ୍ର

ଦ୍ବିତୀୟି କଳା...ଶୁକ୍ଳପକ୍ଷ ଚନ୍ଦ୍ରର ଦ୍ଵିତୀୟ ଦିନର ଦୃଶ୍ୟ

******************************************

ସରଳାର୍ଥ

............

ରେ ପ୍ରିୟତମା! ବିଧାତା ତୋତେ ସୃଷ୍ଟିକରି,ତୋ

ସୌନ୍ଦର୍ଯ୍ୟରେ ନିଜେ ଆଶ୍ଚର୍ଯ୍ୟାନ୍ବିତ ହୋଇ, ଏତେ ସୁନ୍ଦର

ମୁହଁଟିଏ କିପରି ଗଢିପାରିଲେ ଭାବି, ନୀଳ ଆକାଶ ରୂପକ

ପଥର ଦେହରେ ,ଖଡିରେ ତୋର ମୁଖର ଆକାରକୁ ପୁଣିଥରେ

ଆଙ୍କିବାକୁ ଚେଷ୍ଟାକରି ,ପ୍ରଥମେ 'ଠ'କାର ଟିଏ ବୁଲାଇଛନ୍ତି ଏବଂ ପରେ ତୋ ମୁଁହ

ସହିତ ସାମ୍ୟ ଆଣିବାକୁ ସେଥିରୁ ଅଧା ଲିଭାଇ ଦେଇଛନ୍ତି।ଏହା ସେହି ଅଧାଲିଭା 'ଠ' କାରର ଆକାର;ଶୁକ୍ଳପକ୍ଷର ଦ୍ୱିତୀୟା ଚନ୍ଦ୍ର ନୁହେଁ।

କ୍ରମଶଃ.....


Rate this content
Log in