ଅସ୍ପଷ୍ଟ ଦିଗନ୍ତ
ଅସ୍ପଷ୍ଟ ଦିଗନ୍ତ
ଅସ୍ପଷ୍ଟ ଅଥଚ ଅତି ଆକର୍ଷକ
ସେ ଦିଗନ୍ତ ସ୍ୱର୍ଣ୍ଣିମ ରେଖା
ପ୍ରଚ୍ଛଦ ପଟ୍ଟେ ତା ତାଜା ସ୍ଵପ୍ନ ସବୁ
କେଜାଣି ମଧ୍ୟେ କି ଲେଖା।
ସେପାଖରେ ତାର ଅଚିହ୍ନା କାହାଣୀ
ହାତ ଠାରି ଡାକେ ସତେ
ମୁଁ ଲେଖୁଛି ଏଠି ପୁରିଲା କବିତା
ଜୀବନର ଶୂନ୍ୟ ପଥେ।
ଦର୍ଶନ ଯା ଏତେ ସୁଖ ଢ଼ାଳି ଦିଏ
ନଥିବ ତା ପାଶେ କେତେ
ସେଇ ସୁଖ ପାଇଁ ଲାଳାୟିତ ହୁଏ
ମୋ ପ୍ରାଣ ଇନ୍ଦ୍ରିୟ ଯେତେ।
ଜାଣିଛି ସେ ଏକ ସ୍ଵର୍ଣ୍ଣ ମରୀଚିକା
ତଥାପି ତା ପଛେ ଧାଏଁ
ଆଶା ଅଗଣାରେ ଆକାଶକୁ ପାରି
ମୁଁ ନିଶ୍ଚିନ୍ତରେ ନିଦ୍ରା ଯାଏ।
ସେ ଦିଗନ୍ତ ରେଖା ସେପାଖରେ ମୋର
ସ୍ଵକଳ୍ପିତ ଯେଉଁ ଲେଖା
ବାଧ୍ୟ କରେ ମୋତେ ଅମୁହାଁ ଦେଉଳେ
ଖୋଜିବାକୁ ଶେଷ ଶିଖା।
ଆଖି ଥାଉଁ ଥାଉଁ ଦୃଷ୍ଟିହୀନ ସାଜେ
ସୁଖ ସପନରେ ମଜ୍ଜି
ସେଇ ସୁଖ ଦିନେ ବୁଡ଼ାଇ ମାରିବ
ଇଛା ସବୁ ଦେଇ ଭାଜି।
ତଥାପି ଆସନ୍ତା କାଲିର ସେ ବତୀ
ଦୂରୁ ଡାକେ ଆଖି ଠାରି
ଥାଉ ପଛେ ଦିନ କି ଅପହଞ୍ଚ ରାତି
ଜିଇଁବା ରହିଛି ଜାରି।
ତା ସୁନାଜରି ଦିଆ ପାଟ ଚମକରେ
ଜୀବନ ଚମକି ଉଠେ
ସମ୍ଭାବନାର ବି ଭିନ୍ନ ଅନୁଭବ
ବୈଶାଖେ ବି କମ୍ପେ ଶୀତେ।
ଥାଉ ପଛେ ଯେତେ ଶୂନ୍ୟ ନଦୀପଠା
ନତୁବା ବଢ଼ିଲା ସୁଅ
ମନୋରମ ଧୀରସ୍ରୋତା ଆଶା ନେଇ
ଚାଲିଥିବି ରଖି ଲୟ।
ଅସ୍ପଷ୍ଟ ବୋଲି ତା ଏତେ ସୋନ୍ଦର୍ଯ୍ୟ
ଜୀବନ ସଚଳ ହୁଏ
ସେ ରେଖା ନଥିଲେ ସ୍ଥିର ହୋଇ ଯାନ୍ତା
ବଞ୍ଚିବାଟା ଛାଏଁ ଛାଏଁ।