ଅସହ୍ୟ ନିଦାଘ
ଅସହ୍ୟ ନିଦାଘ
ଜେଜେ କହୁଥିଲେ ଆଗରୁ ଏମତି
ହେଉନଥିଲା ଏତେ ଖରା,
ଯେମିତି ଜଳୁଅଛି ଆଜିକାଲି
ଇଟାଭାଟି ପରି ଧରା,
ମନେମନେ ମୁହିଁ ବିଚାରୁଥିଲି
କଥାଟା କି ଅଟେ ଅସଲ,
ପ୍ରତିବର୍ଷ ସୂର୍ଯ୍ୟ କି ପାଖକୁ ଆସନ୍ତି
କରିବାକୁ ଲ୍ୟାଣ୍ଡଫଲ ..!
ସୂର୍ଯ୍ୟ ରହିଛନ୍ତି ନିଜର ସ୍ଥାନରେ
ପାଳୁଛନ୍ତି ନିଜ ଧର୍ମ,
ମଣିଷ ଭୋଗୁଛି ଅସହ୍ୟ ତାପରେ
କରିଥିବା ହୀନକର୍ମ।
ସହରରୁ କାଟିଲା ବିସ୍ତୀର୍ଣ୍ଣ ଅରଣ୍ୟ
ଗଢ଼ି କାରଖାନା ଆଦି,
ଗାଁ ଜଙ୍ଗଲରେ ନିଆଁ ସେ ଲଗାଏ
ହୁଏ ତାପମାତ୍ରା ବୃଦ୍ଧି।
ଚାଳ ଛପର ଆଉ ନାହିଁ କୋଉଠି
ଶୀତଳତା ମିଳୁଥିଲା,
ସିମେଣ୍ଟ କାନ୍ଥରେ ପକ୍କା ଘରକରି
ଅଗ୍ନୀ ବରଣ କଲା।
କୋଷେ ବାଟପରେ ବୃକ୍ଷ ଦିଶେନାହିଁ
ସବୁ କାଟି ସଫାହେଲା,
ପିଚୁ ସଡ଼କ ଦିଶଇ ଚକଚକ
ତହିଁ ଜଳେ ନିଆଁହୁଳା।
ଯାନ ବାହାନର ଅତ୍ୟଧିକ ବୃଦ୍ଧି
ଅଙ୍ଗାରକାମ୍ଳ ନିର୍ଗତ ହେଲା,
ବାୟୁମଣ୍ଡଳେ ମିଶ୍ରଣ ହୋଇ
ଝାଞ୍ଜି ପବନ ବହିଲା।
ମଣିଷ ହେଉ ବା ଜୀବଜନ୍ତୁ ଯେତେ
ଆକୁଳେ ଛାଡ଼ନ୍ତି ଡାକ,
ଶରଣ ରକ୍ଷଣ ଆହେ ନାରାୟଣ
ତୁମ୍ଭେ ଏବେ ରଖ ରଖ।
ସଚେତନତାର ସମୟ ଏହିଯେ
ନହୋଇବା ଯଦି ବନ୍ଧୁ,
ସମୟ ଆସିବ ପୃଥିବୀ ପୃଷ୍ଠରୁ
ଶୁଖିଯିବ ଦିନେ ସିନ୍ଧୁ।
