କିଛି ଯୁବକଙ୍କ କଥା
କିଛି ଯୁବକଙ୍କ କଥା
ସବୁ ଯୁବକଙ୍କ ସ୍ୱପ୍ନରେ ଆସେନାହିଁ
କେବେ ସୁନ୍ଦରୀଙ୍କ ରୂପ ଲାବଣ୍ୟ,
ଆସନ୍ତି ପାରିବାରିକ,ଭବିଷ୍ୟତ ଚିନ୍ତା
ସମସ୍ୟା, ଦୁଃଖ,ବାଧାବିଘ୍ନ।
ସବୁ ଯୁବକଙ୍କ ଜୀବନ ହୁଏନାହିଁ
ସୁଖ,ସମୃଦ୍ଧି ଓ ପଥ କୁସୁମିତ,
ବଞ୍ଚି ରହିଥାନ୍ତି ନୀରବତାକୁ ଆଦରି
ଚାହିଁଥାନ୍ତି ମୃତ୍ୟୁକୁ କରି ସ୍ୱାଗତ।
ସବୁ ଯୁବକ କରନ୍ତିନି ଅଭିମାନ
ପାଇବାକୁ ସ୍ନେହ,ପ୍ରେମ,ଆଦର,
ପଥର ସମ ହୃଦୟ କରି ସହିଯା'ନ୍ତି
ଅପମାନ,ଅସମ୍ମାନ,ତିରସ୍କାର।
ସବୁ ଯୁବକ ଭାଙ୍ଗି ନପଡନ୍ତି ଯଦି
ହାରିଯାଆନ୍ତି ପ୍ରେମରେ,
ସେମାନେ ଜାଣନ୍ତି ଭାଙ୍ଗିଗଲେ କେହି
ତୋଳି ଧରିବାକୁ ନଥିବେ ପାଖରେ।
ସବୁ ଯୁବକ ଭୋଗନ୍ତିନି ସଂସାର ରୂପୀ
ରତ୍ନ ଖଚିତ ସିଂହାସନ,
ଅପମାନ,ଉପହାସେ ଜୀବନ ଭରା
ମରନ୍ତି ସଂଗ୍ରାମେ ସାଜି କର୍ଣ୍ଣ।
ସବୁ ଯୁବକ ନୁହନ୍ତି ପଳାତକଟିଏ
ସମ୍ପର୍କର ଭିଡ଼ ଭିତରେ,
ତଥାପି ସେମାନେ ବର୍ତ୍ତି ନପାରନ୍ତି
କିଛି ସନ୍ଦେହୀଙ୍କ ଆଖିରେ।
ସବୁ ଯୁବକ ଚାହାଁନ୍ତିନି ରୂପବତୀ
ଅଳଙ୍କାର,ପ୍ରସାଧନ ବୋଳା ଯୁବତୀ,
ହାତେ ହାତ ଛନ୍ଦି ବାଟ ଚାଲିବାକୁ
ଚାହାନ୍ତି ସୁଖ,ଦୁଃଖର ସାଥୀ।
ସବୁ ଯୁବକ ପାଆନ୍ତିନି ସହାୟତା
ବନ୍ଧୁ ପରିଜନଙ୍କ ପାଖରୁ,
ନିଜ ପ୍ରଚେଷ୍ଟାରେ ସାଉଁଟି ନିଅନ୍ତି
ସଫଳତା ଦୁନିଆ ପ୍ରତିଯୋଗିତାରୁ।
ସବୁ ଯୁବକ କେବେ ହୋଇନପାରନ୍ତି
ପ୍ରିୟ ମଣିଷଟେ କାହା ହୃଦରେ,
ଅଣଦେଖା ହୋଇ ପଡ଼ି ରହିଯାଆନ୍ତି
ପଥରଟେ ପରି ଜୀବନ ସଡ଼କରେ।
