ଅପୂର୍ବ ତୋ ଚକାନୟନ
ଅପୂର୍ବ ତୋ ଚକାନୟନ
ଜଗତର ନାଥ ଆହେ ଜଗନ୍ନାଥ
ଅପୂର୍ବ ତୁମର ଠାଣି
ଚକା ଆଖି ତୁମ ଚକାନୟନ ଯେ
ଅପୂର୍ବ ତାହାର ବାଣୀ।
ତୁମେ ଆଦିକନ୍ଦ ତୁମେ ଯେ ଈଶ୍ୱର
ଏହି ଧରା ମହୀ ତଳେ
ତୁମରି ପରଶେ ପୁଲକ ଖେଳଇ
ଏହି ବିଶ୍ଵ ମହୀ ଧରେ।
ଦିଅ ଯେ ଦର୍ଶନ ହେ କଳାବଦନ
ଅପେକ୍ଷାର ଅନ୍ତ କର
ଜଗାକାଳିଆ ମୋ ନୀଳାଚଳିଆ ସେ
ଜଗତ ଈଶ୍ୱର ବ୍ରହ୍ମସ୍ୱରୂପ ସେ।
ଚକାନୟନ ଯେ ଅପୂର୍ବ ତୋହର
ମନେ ଭରେ ପ୍ରେମ ଭକତିର ଘର
ମନେ ଉପାସନା କର ଯେ ଭକତ
ଦେଖିବାକୁ ତୋର ଦିବ୍ୟ ବେଶ ରୂପ।
ମନକୁ ଲାଗଇ ପରମ ଆନନ୍ଦ
ହୃଦୟକୁ ଯାଏ ଛୁଇଁ
ଚକାନୟନକୁ ଦର୍ଶନ କରିଲେ
ଆଶିଷ ଯେ ମିଳିଥାଇ ।
ପଇସାରେ ଭକ୍ତି କିଣାଯାଏ ନାହିଁ
ଭକ୍ତି ଯେ ଅମୂଲ ମୂଲ
କର ସମର୍ପଣ ପ୍ରଭୁ ପାଦତଳେ
ଈଶ୍ୱର କରିବେ ପାର।
ଜଗତ ଈଶ୍ୱର ଜଗନ୍ନାଥ ତମେ
ଭକ୍ତଙ୍କର ପ୍ରାଣ ବିନ୍ଦୁ
ତୁମରି ଭରସେ ସଂସାର ଚାଲିଛି
ଆହେ ମୋର ପ୍ରାଣନାଥ।
ଚକାନୟନକୁ ଚନ୍ଦ୍ରବଦନ
ମନେ ଭରେ କେତେ ପ୍ରେମ
ଦେଖିବାକୁ ତୁମ ଦିବ୍ୟ ଦରଶନ
ବ୍ୟାକୁଳ ହୁଅଇ ମନ।
ଚକାନୟନରେ ବାନ୍ଧି ରଖ ତମେ
ସାରା ବିଶ୍ବକୁ ଯେ ତୁମେ
ଦିଅ ଦରଶନ ଅବିଳମ୍ବେ ଯିବି
ପାଉନାହିଁ ଥଳକୁଳ।
ତୁମରି ଦୟାରୁ ସଂସାର ଚାଲିଛି
ଆହେ ମୋର ନୀଳଚକ୍ର
ଉଦ୍ଧାରିବ ଭବୁ ପାର୍ଥୀବ ଶରୀର
ଦେଖି ତୋ ନୟନ ଜୀବ ଯାଉ ମୋର।