ଅପେକ୍ଷାରେ ଏକା ଏକା
ଅପେକ୍ଷାରେ ଏକା ଏକା
ଚାଲ ଆମେ ଅପେକ୍ଷା କରିବା ପରସ୍ଵରକୁ ,
ମୁ ଝରକା ଆଗରେ ଆଉ ତମେ କବାଟ ଫାଙ୍କରେ ।
କାହାକୁ ଖୋଜୁଛ ତମେ ,
କାହାକୁ ଖୋଜୁଛି ମୁ ,
ଆମେ ତ ଅନେକ କିଛି ହରେଇ ସାରିଛେ ,
କେତେ ଋତୁ, କେତେ ସ୍ଵପ୍ନ, କେତେ ଅହମିକା ।
କଣ ଦେଇଛି ଏ ସମୟ !!
କେବେ କଣ ପ୍ରଶ୍ନ ପଚାରି ପାରିଛେ ନିଜକୁ,
ପିଲାଦିନ, ଉଛୁଳା ଯୌବନ , ରଙ୍ଗୀନ ପ୍ରେମ
ସବୁ ତ ଦେଇ ଫେରାଇ ବି ନେଇଛି,
ଯାହା ଫେରେଇ ନେଇନି ଆମ ସମ୍ପର୍କ ,
ଆମ ମନ ତଳର ନୀରବ ଭାଷା ।
ସବୁ କିଛି ସତେଜ ନା,
ତମେ ନୀରବରେ ଗୁଣୁଗୁଣାଉଥିଲେ
ମୋ କବିତା ଶବ୍ଦମୟ ପାଲଟି ଯାଉଥିଲା,
କେହି କାହାକୁ ମୁହୁର୍ତ୍ତେ ନ ଚାହିଁଲେ ବି
କେତେ ନିକଟରେ ଥିଲେ ଆମ
େ ।
ଏବେ ଅନେକ ବେଳ ଯାଏଁ ପରସ୍ଵରକୁ ଅନେଇ ବସିଲେ ବି
ଏକାକିତ୍ଵ ଝାଙ୍କି ଅଣଉଛି ଆଖି କଣରେ ,
ପରସ୍ଵରଠୁ ଆମେ ଚାହିଁବା ବା କଣ ,
ଆମ ପୌଢତ୍ଵ ଆମ ରାସ୍ତାରେ ଛିଡା ହେଇଛି ,
ଆଉ ତମେ କବାଟ କୋଣରେ ଆଉ ମୁ ଝରକା ଆଗରେ ।
କେତେ ଯେ ବସନ୍ତ ଯାଇଛି ,
ଏବେ ବି ତମେ ଗୀତ ଗାଉଛ ଆଉ ମୁ ଶବ୍ଦ ଖୋଜୁଛି ,
ଏବେ ବି ଆମ ଘର ସାମନାରେ ଅନେକ ଲୋକ ଧାବମାନ,
ଆମେ ତ ଠିକ ହିଁ କରିଛେ ଜୀବନସାରା
ହୁଏତ ସେମାନେ ଭୁଲ ହିଁ ଖୋଜୁଥିଲେ ।
ଚାଲ! କିଛି ଗପସପ ହେବା ବାରଣ୍ଡାରେ
କିଛି କ୍ଷଣ ଆହ୍ଲାଦିତ ହେବା ସେମାନଙ୍କ ପାଇଁ,
ଯେଉଁମାନେ ଆମ ପାଇଁ ବାଟ ଖୋଜିଥିଲେ ,
ଆମେ ଅପେକ୍ଷା କରିବା ସଙ୍ଗୋପନରେ ।