ଅନୁଲୋମ ବିବାହ
ଅନୁଲୋମ ବିବାହ
1 min
162
ମଧୁପୁଷ୍ପଛୁଆଁ ପବିତ୍ରତାଭରା
ବିଶ୍ୱାସର ଡୋରଟିଏ,
ଦୁଇ ମନ ଆତ୍ମା ସମ୍ମିଳିତ ଯେହୁ
ବିବାହ ବନ୍ଧନ ସିଏ ;
ଜାତିପ୍ରଥା କୁସଂସ୍କାର ଆସ୍ତରଣ
ଆଜି ବି ମାନବ ହୃଦେ,
ଦୁଇଟି କୋମଳ ପ୍ରେମୀଙ୍କ ଜୀବନ
ଚିତ୍କାରେ ଅତଳ ହ୍ରଦେ ;
ଯୋଧଵାଈ ପୁଣି ହିନ୍ଦୁକୁଳେ ଜନ୍ମି
ମୋଗଲର ରାଣୀ ହେଲେ,
ଅଖଣ୍ଡ ଶକ୍ତିର ପାରଦର୍ଶିତାରେ
ଇତିହାସ ରଚିଗଲେ ;
ରାମାୟଣ ପୋଥି ଛୁଇଁଦେଲେ ଥରେ
ଏଇ କଥା ଉଙ୍କିମାରେ,
ବ୍ରାହ୍ମଣକୁଳରେ ଦଶାନନ ଥାଇ
ମନ୍ଦୋଦରୀ ହାତ ଧରେ ;
ଭକ୍ତ ଶାଲବେଗ ହାତରୁ ନଡ଼ିଆ
ମହାପ୍ରଭୁ ତୋଳିନେଲେ,
ବ୍ରାହ୍ମଣକୁଳରେ ମାତାଙ୍କ ଜନମ
ପିତା ମୁସଲମାନ ଥିଲେ ;
ଇତିହାସ କହେ ପୁରାଣ ବି କହେ
ସମାଜ କହୁଛି ଆଜି,
ଜାତିପ୍ରଥା ଛାଡି ମନ ବନ୍ଧନକୁ
ସ୍ୱୀକୃତି ଦିଅ ହେ ଆଜି ||
